ଭାରତୀୟ ବଂଶୋଦ୍ଭବ ଗୌରବ ଶର୍ମା ନ୍ୟୁଜିଲାଣ୍ଡର ସାଂସଦ

ଓ୍ୱେଲିଙ୍ଗଟନ/ଶିମଲା: ଭାରତୀୟ ଡାକ୍ତର ହୋଇଛନ୍ତି ନ୍ୟୁଜିଲାଣ୍ଡର ସାଂସଦ। ହିମାଚଳ ପ୍ରଦେଶର ହାମିପୁର ନିବାସୀ ଡାକ୍ତର ଗୌରବ ଶର୍ମା ନ୍ୟୁଜିଲାଣ୍ଡର ସାଂସଦ ହୋଇଛନ୍ତି । ଗୌରବ ହାମିଲଟନ ଓ୍ୱେଷ୍ଟର ସାଂସଦ ଏବଂ ଲେବର ପାର୍ଟିର ପ୍ରାର୍ଥୀ ଭାବେ ସେଠିକାର ସଂସଦକୁ ନିର୍ବାଚିତ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ସାଧାରଣ ନିର୍ବାଚନରେ ଗୌରବ ୧୬,୯୫୦ ଖଣ୍ଡ ଭୋଟ ପାଇ ନ୍ୟାସନାଲ ପାର୍ଟିର ଟିମ୍ ମାସିଣ୍ଡୋଙ୍କୁ ସେ ୪,୪୨୫ ଭୋଟରେ ହରାଇଛନ୍ତି ।

ଗୌରବ ଶର୍ମା ତାଙ୍କ ଦଳର ଅଫିସିଆଲ ୱେବସାଇଟରେ କହିଛନ୍ତି, ‘ଜଣେ ସ୍ଥାନୀୟ ଡାକ୍ତର ଭାବରେ ମୁଁ ପ୍ରତ୍ୟେକ ଦିନ ଲୋକଙ୍କ ସମସ୍ୟା ବୁଝୁଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମୋର ଉଭୟ କାର୍ଯ୍ୟ ଏବଂ କୋଭିଡ -୧୯ ମୁକାବିଲା ସମୟର ଅଭିଜ୍ଞତା ହାମିଲଟନ ବାସୀଙ୍କ ସ୍ୱର ହେବାକୁ ସାହାଯ୍ୟ କରିଛି।’ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗୌରବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଗୌରବ ଦୀର୍ଘ ୨୦ ବର୍ଷ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଯାଇଥିଲେ। ସେ ମେଡିସିନ୍ ଏବଂ ସର୍ଜରୀରେ ଗ୍ରାଜୁଏସନ ପାସ୍ କରିବା ପରେ ହାମିଲଟନର ନଟଁନ ପ୍ରାକ୍ଟିସ କରୁଥିଲେ। ଗୌରବ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ପରିବାର ନ୍ୟୁଜିଲ୍ୟାଣ୍ଡ ପଳାଇଥିଲେ। ବର୍ତ୍ତମାନ ଗୌରବଙ୍କ ବୟସ ୩୫।