ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନୀ ମହିଳା ସୀମାଙ୍କୁ ଡରିଗଲେ କି?

ଆମେ ଜାଣିଛୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରି ସାହସୀ । କିନ୍ତୁ ୟେ ମିଡିଆବାଲା ଏମିତି ସମ୍ବାଦ ପରିବେଷଣ କରୁଛନ୍ତି ଯାହାକୁ ଶୁଣିଲେ ଛାତି ଥରିଯାଉଛି । ପାକିସ୍ତାନରୁ ନେପାଳ ବାଟ ଦେଇ ଭାରତ ଆସିଥିବା ସୀମାଙ୍କ ବିଷୟରେ ବିଭିନ୍ନ ଗଣମାଧ୍ୟମ ନାନା ଖବର ଛାପୁଛନ୍ତି । କେହିକେହି ସୀମାଙ୍କୁ ପାକିସ୍ତାନର ଗୁପ୍ତଚର ଭାବେ ଉପସ୍ଥାପନ କରୁଛନ୍ତି । କେହିକେହି ସୀମାଙ୍କୁ ଭାରତରୁ ନତଡ଼ିଲେ, ୨୬/୧୧ ଭଳି ଆତଙ୍କୀ ଆକ୍ରମଣର ଆଶଙ୍କା ପ୍ରକାଶ କରିଛନ୍ତି ।

ଶରଣାଗତକୁ ଆଶ୍ରୟ ଦେବା ହିନ୍ଦୁତ୍ୱର ଧର୍ମ । ପାକିସ୍ତାନ ସରକାରଙ୍କ କଠୋର ଶାସନ ନୀତିକୁ ଭୟ କରି ସୀମା ଭାରତର ଜଣେ ଯୁବକଙ୍କ ହାତ ଧରିଛନ୍ତି । ଭାରତ ସରକାରଙ୍କ ଅନୁମତି ନେଇ ଏଠାରେ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତାଙ୍କ ଉପରେ ଏଭଳି ସନ୍ଦେହ କରିବା ଅନୁଚିତ ।

ପାଣି ଭିତରେ ଘର କରି କୁମ୍ଭୀରକୁ ଡରିଲେ ଚଳିବ? ପାକିସ୍ତାନ ସବୁବେଳେ ସୀମାପାର ଆତଙ୍କୀକୁ ପ୍ରଶ୍ରୟ ଦେଇଆସିଛି । ପାକିସ୍ତାନ ବାୟୁସୀମା ଭିତରେ ପଶି ଠିକଣା ଜବାବ ଦେବାର ହିମତ ରଖିଥିବା ପ୍ରଧାନମନ୍ତ୍ରୀ ମୋଦି ସହଜରେ ଦବିଯିବା ଲୋକ ନୁହନ୍ତି ।