ତିନି ଖଣି ମାଲିକଙ୍କୁ ଅପହରଣ

ନୂଆଦିଲ୍ଲୀ: ଆସାମର ତିନି ଜଣ ଖଣି ମାଲିକଙ୍କୁ ଅରୁଣାଚଳ ପ୍ରଦେଶରୁ ଅପହରଣ କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି । ରବିବାର ଦିନ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ ଆସାମ ଓ ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଆଡ୍ଡା ଜମାଇଥିବା ଏକାଧିକ ଆତଙ୍କୀ ସଂଗଠନ ଖଣି ମାଲିକଙ୍କୁ ଅପହରଣ କରିଥିବା ଅସମ୍ଭବ ନୁହେଁ ।

ଅପହୃତ ଖଣି ମାଲିକଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିବା ପାଇଁ ଆସାମ ରାଇଫଲ୍ସ ଓ ଆସାମ ପୁଲିସ ମିଳିତ ଅଭିଯାନ ଚଳାଇଛନ୍ତି ।

ତିନସୁକିଆ ପୁଲିସ ଅଧିକ୍ଷକ ଅଭିଜିତ ଗୌରବ କହିଛନ୍ତି, ଆମ ପାଖରେ ପହଂଚିଥିବା ଖବର ଅନୁସାରେ ଆସାମର ତିନିଜଣ ଖଣି ମାଲିକ ଅରୁଣାଚଳ ପ୍ରଦେଶର ବନାଂଚଳରେ କିଛି ଖଣି ଠିକା ନେଇଛନ୍ତି । ସେହିମାନଙ୍କୁ ଅପହରଣ କରାଯାଇଛି । ଅପହୃତ ଖଣି ମାଲିକ ହେଉଛନ୍ତି ଜ୍ଞାନ ଥାପା, ଲେଖାନ ବୋରା ଓ ଚନ୍ଦନ ନର୍ଜାରୀ ।

ତିନସୁକିଆ ଏସିପି ବିଭାସ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଲାସି ଅଭିଯାନ ଆରମ୍ଭ ହୋଇଛି । ଉଲ୍‌ଫା (ଆଇ) ଓ ଏନଏସସିଏନ ଆତଙ୍କୀମାନେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।