ଲଗାଣ ବର୍ଷାରେ ଉବୁଟୁବୁ ହାଇଦ୍ରାବାଦ,ଭାସିଯାଉଥିବା ଯୁବକଙ୍କ ଭିଡିଓ ଭାଇରଲ

ହାଇଦ୍ରାବାଦ: ଲଗାଣ ବର୍ଷା ପରେ ହାଇଦ୍ରାବାଦରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ସ୍ଥିତି ଫଳରେ ମୁଖ୍ୟ ରାସ୍ତାରେ ନଦୀ ଭଳି ଜଳ ପ୍ରଭାହିତ ହେଉଥିବାରୁ ଘଟଣା ସ୍ଥଳରୁ ଛାତି ଥରାଇ ଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି କେମିତି ବର୍ଷା ପାଣିରେ ରାସ୍ତାରେ ଭାସି ଯାଉଛନ୍ତି, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


ଭିଡିଓରେ ବ୍ୟକ୍ତି ଜଣଙ୍କ ପ୍ରଖର ବେଗରେ ପ୍ରବାହିତ ପାଣିରେ ଭାସି ଯାଉଥିବା ବେଳେ ଆଉ କିଛି ଲୋକ ରାସ୍ତା କଡ଼ରେ ଛିଡ଼ା ହୋଇ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ହେଲେ କେହି ବି ଭାସି ଯାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଆସି ନଥିବା ଭିଡିଓରୁ ଜଣାପଡ଼ିଛି। ପରବର୍ତ୍ତୀ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଉଦ୍ଧାର ହେଲେ କି ନାହିଁ, ତା’ର ଖବର ମଧ୍ୟ ଏଯାଏ ମିଳିନାହିଁ।

ଏହି ଆଶ୍ଚର୍ଯ୍ୟଜନକ ଭିଡିଓଟି ଫାଲକନୁମା ନିକଟ ବାରକାସ ଅଞ୍ଚଳର। ପାଣିରେ ଭାସି ଯାଉଥିବା ବ୍ୟକ୍ତି ଜଣଙ୍କ ରାସ୍ତାରେ ଥିବା ଗୋଟିଏ ଖୁଣ୍ଟିକୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଏଥିରେ ସଫଳ ହୋଇ ନଥିଲେ। ପାଣି ତାଙ୍କୁ ଆଗକୁ ଆଗକୁ ଭସାଇ ନେଇ ଚାଲିଥିଲା। ରାସ୍ତାରେ ପାଣି ପ୍ରବାହିତ ହେଉଥିବା ବେଳେ ରାସ୍ତା କଡ଼ରେ ଥିବା ଉଚ୍ଚ ସ୍ଥାନରେ ୨ ଜଣ ବ୍ୟକ୍ତି ଛିଡ଼ା ହୋଇବା ଭିଡିଓରେ ଦେଖିବାକୁ ମିଳିଛି ।ସେମାନେ କୌଣସି ଉପାୟ ନପାଇ କେବଳ ଚିତ୍କାର କରିଥିଲେ ହେଁ କେହି ବି ଶୁଣି ନଥିଲେ। ସେହିପରି କିଛି ଲୋକ ଗୋଟିଏ ଟାୟର ଭାସି ଯାଉଥିବା ଯୁବକଙ୍କ ପାଖକୁ ପକାଇଥିଲେ। ହେଲେ ସେଇଟାକୁ ମଧ୍ୟ ସେ ଧରି ପାରି ନଥିଲେ।

ଗତ ୨୪ ଘଣ୍ଟାରେ ହାଇଦ୍ରାବାଦରେ ୨୦ ସେମିରୁ ଅଧିକ ବର୍ଷା ହୋଇଥିବା ବେଳେ ଏଭଳି ଅନେକ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। । ଏହି କାରଣରୁ ଏକାଧିକ ଅଞ୍ଚଳରେ ପାଣି ପଶି ଯାଇଛି। ପାଣି ଏତେ ପ୍ରଖର ବେଗରେ ଆଗକୁ ଯାଉଛି ଯେ ଅନେକ କାର ଓ ଗାଡ଼ି ରାସ୍ତା ଉପରେ ଭାସି ଯାଉଥିବା ଦେଖିବାକୁ ମିଳିଛି।ଯାହାକୁ ନେଇ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି ଓ ଯିବାଆସିବା ପୁରା ଠପ ହୋଇଯାଇଛି ।


ଅନ୍ୟପଟେଲଗାଣ ଓ ବର୍ଷା ଯୋଗୁ କେବଳ ହାଇଦ୍ରାବାଦରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାତିରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଗତକାଲି ରାତିରେ ଗଗନପାହଡ଼ ଅଞ୍ଚଳରେ ବର୍ଷା ଯୋଗୁ ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି।

ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ତେଲେଙ୍ଗାନା ସରକାର ରାଜ୍ୟର ସମସ୍ତ ସ୍କୁଲ ଓ ଅଫିସକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ରାସ୍ତା ଓ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ଏହି କାରଣରୁ ସରକାର ବୁଧବାର ଓ ଗୁରୁବାର ଛୁଟି ଘୋଷଣା କରିଛନ୍ତି।

ସେହିପରି ତେଲେଙ୍ଗାନାର ସବୁଠାରୁ ବଡ଼ ନଦୀ କୁହାଯାଉଥିବା କଗନା ରଙ୍ଗା ରେଡ୍ଡୀ ଜିଲ୍ଲାର ଜେୱାଙ୍ଗି ଠାରେ ଜଳସ୍ତର ବିପଦ ସଙ୍କେତ ଠାରୁ ଅତି ଉଚ୍ଚରେ ପ୍ରଭାବିତ ହେଉଛି। ଏହି କାରଣରୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କରିବା ଆରମ୍ଭ କରିଛି। ସହରରେ ଥିବା ଏକାଧିକ ହସ୍ପିଟାଲରେ ପାଣି ପଶି ଯାଇଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ତେଲେଙ୍ଗାନା ଉପରେ ଥିବା ଅବପାତ ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କ୍ରମଶଃ ଦୁର୍ବଳ ହୋଇଯିବ। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।