ଦେଶକୁ ବୋଝ ‘ନରେନ୍ଦ୍ର ଶାହ’

୨୦୧୪ ଲୋକସଭା ନିର୍ବାଚନରେ ବିଜେପି ବିଦେଶରୁ କଳାଧନ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲା । ପ୍ରତି ନାଗରିକଙ୍କ ଜମାଖାତାରେ ୧ ଲକ୍ଷ ଟଙ୍କା ଜମା କରିବା ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଗଲା । ବିଦେଶରୁ ଅଣାଯିବାକୁ ଥିବା କଳାଧନରୁ ୧ ଲକ୍ଷ ଟଙ୍କା ଲେଖାଏଁ ପାଇବା ଆଶାରେ ଦେଶର ପ୍ରତି ନାଗରିକ ବ୍ୟାଙ୍କରେ ଜମାଖାତା ଖୋଲି ପକାଇଲେ । ପରିଣାମ ହେଲା କ’ଣ? ଜମାଖାତାରେ ସର୍ବନିମ୍ନ ରାଶି ନ ରଖିବା ଅଭିଯୋଗରେ ବ୍ୟାଙ୍କ ପକ୍ଷରୁ ଜରିମାନା ରାଶି କଟାଯାଉଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅମଳରେ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ରାଶି ବାବଦକୁ ଜରିମାନା କଟା ଯାଉଥିଲା କି? ଖାଲି ସେତିକି ନୁହେଁ, ଜମାଖାତାରେ ପ୍ରଧାନମନ୍ତ୍ରୀ ମୋଦୀ ଏକଲକ୍ଷ ଟଙ୍କା ଲେଖାଏଁ ଜମା କରିବା କଥା ଛାଡ଼ । ମା’ ପେଟରେ ବଢୁଥିବା ଭ୍ରୁଣ ମୁଣ୍ଡରେ ୧ ଲକ୍ଷ ଟଙ୍କାର ଋଣବୋଝ ଲଦି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଜଣେ ଚା’ବାଲାକୁ ପ୍ରଧାନମନ୍ତ୍ରୀ ଆସନରେ ବସାଇ ବିଜେପି ଭାରି ବଡ଼ବଡ଼ କଥା କହୁଥିଲା । ଏବେ ସେଇ ଚା’ବାଲା ଦେଶର ଶିଶୁଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କାର ଋଣ ଲଦିଛନ୍ତି । ସବୁଠାରୁ ବଡ଼କଥା ହେଉଛି, ବିଜେପି ପାଖରେ କେବଳ ଜଣେ ଚା’ ବାଲା ରହିଛି ଯେ ବାରମ୍ବାର ଦେଶର ପ୍ରଧାନମନ୍ତ୍ରୀ ହେବ । ଦେଶରେ ପ୍ରାୟ ୨୦ କୋଟି ଚା’ ବାଲା ଅଛନ୍ତି । ସେମାନଙ୍କ ଭିତରୁ କାହାକୁ ପ୍ରଧାନମନ୍ତ୍ରୀ କରିବାକୁ ବିଜେପିର ଦମ୍‌ ପାଉନି ।

ଭାରତରେ ଗୁଜରାଟ ଷ୍ଟାଇଲ୍‌ ଶାସନ ଚାଲିବନି । ଦେଶର ଅନ୍ୟ କୌଣସି ରାଜ୍ୟରେ ଦକ୍ଷ ଆଇଏଏସ୍‌, ଆଇପିଏସ୍‌, ଆଇଏଫଏସ୍‌ ଅଧିକାରୀ ନାହାନ୍ତି । କେବଳ ଗୁଜରାଟରେ ଦକ୍ଷ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫ୍‌ଏସ୍‌ ଅଧିକାରୀ କାମ କରୁଛନ୍ତି । ସେଇମାନଙ୍କୁ ନୂଆଦିଲ୍ଲୀରେ ଅବସ୍ଥାପିତ କରି ଦେଶଟାକୁ ଶାସନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ବୁଦ୍ଧି ଅଛି । ବିଜେପି ଆଉ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ହୀନ କାରସାଦି ଆଉ କାହାକୁ ଅଛପା ନାହିଁ । ଖୁବ ଶୀଘ୍ର ମୋଦୀଙ୍କ ଶାସନ ଖତମ ହେବାକୁ ଯାଉଛି ।