ବିଶ୍ବର ଦୀର୍ଘତମ ‘ଅଟଳ ଟନେଲ୍’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ ସୁଡଙ୍ଗପଥ ‘ଅଟଳ ଟନେଲ’ର ଉଦଘାଟନ କରିଛନ୍ତି। ଟନେଲର ଲମ୍ବ ୯.୦୨ କିଲୋମିଟର ହୋଇଥିବା ବେଳେ ଉଚ୍ଚତା ୩୦୦୦ମିଟର ରହିଛି । ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୀର ପଞ୍ଜଲ ପାହାଡ଼ରେ ‘ଅଟଳ ଟନେଲ’ ନିର୍ମାଣ କରାଯାଇଛି। ଏହା ସମୁଦ୍ର ପତ୍ତନଠାରୁ ୧୦,୦୦୦ ଫୁଟ ଉଚ୍ଚରେ ଅବସ୍ଥିତ | ‘ଅଟଳ ଟନେଲ୍’ ଗଠନ ହେତୁ ମନାଲି ଏବଂ ଲେହର ଦୂରତା ୪୬କିଲୋମିଟର ହ୍ରାସ ପାଇବା ସହ ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ୪ ରୁ ୫ ଘଣ୍ଟା ହ୍ରାସ ପାଇବ । ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ‘ଅଟଳ ଟନେଲ୍’ ଉଦଘାଟିତ ହୋଇଥିବା ବେଳେ ଲାହୌଲ ଉପତ୍ୟକାର ବାସିନ୍ଦାଙ୍କ ପାଇଁ ଆଜିର ଏକ ବଡ଼ ଦିନ ଅଟେ ।

ତେବେ ଟନେଲର ଆକୃତି ଘୋଡ଼ାର ଜୋତା ପରି ହୋଇଥିବା ବେଳେ ମନାଲିଠାରୁ ୨୫ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଦକ୍ଷିଣ ସୀମା ସମୁଦ୍ର ପତ୍ତନଠାରୁ ୩୦୬୦ମିଟର ଉଚ୍ଚରେ ଥିବା ବେଳେ ଲାହୌଲ ଉପତ୍ୟକାର ତାଲିଙ୍ଗ ଏବଂ ସିସୁ ଗ୍ରାମ ନିକଟରେ ଥିବା ଉତ୍ତର ସୀମା ସମୁଦ୍ର ପତ୍ତନଠାରୁ ୩୦୭୧ମିଟର ଉଚ୍ଚରେ ଅବସ୍ଥିତ। ୧୦.୫ମିଟର ଚଉଡା ବିଶିଷ୍ଟ ଏହି ଟନେଲରେ ୩.୬ x ୨.୨୫ ମିଟରର ଫାୟାରପ୍ରୁଫ୍ ଜରୁରୀକାଳୀନ ପ୍ରସ୍ଥାନ ଗେଟ୍ ନିର୍ମାଣ କରାଯାଇଛି । ଦିନକୁ ୩୦୦୦କାର୍ ଏବଂ ୧୫୦୦ ଟ୍ରକ୍ ୮୦ କିଲୋମିଟର ବେଗରେ ଟନେଲ ସହିତ ଚଳାଚଳ କରିପାରିବ ।


ସେହିପରି ‘ଅଟଳ ଟନେଲ’ରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ୧୫୦ମିଟର ଦୂରତାରେ ଟେଲିଫୋନର ବ୍ୟବସ୍ଥା କରାଯାଇଛି, ଯାହା ଦ୍ବାରା ଜରୁରୀକାଳୀନ ପରିସ୍ଥିତିରେ ସମ୍ପର୍କ ସ୍ଥାପନ ହୋଇପାରିବ। ପ୍ରତି ୬୦ମିଟରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି । ୨୫୦ମିଟର ଦୂରତାରେ ସିସିଟିଭି ସୁବିଧା ଉପଲବ୍ଧ ରହିଛି।ବାୟୁ ଗୁଣବତ୍ତା ଯାଞ୍ଚ କରିବା ପାଇଁ ପ୍ରତି ୧ କିଲୋମିଟରରେ ମେସିନ୍ ଲଗାଯାଇଛି। ଅଟଳ ଟନେଲ୍ ନିର୍ମାଣ କରିବ‌ା ପାଇଁ ୧୪,୫୦୮ ମେଟ୍ରିକ୍ ଟନ୍ ଷ୍ଟିଲ୍, ୨,୩୭,୫୯୬ ମେଟ୍ରିକ୍ ଟନ୍ ସିମେଣ୍ଟ ବ୍ୟବହାର କରାଯାଇଥିବା ବେଳେ ନିର୍ମାଣ ପାଇଁ ନୂତନ ଅଷ୍ଟ୍ରିଆର ଟନେଲିଂ କୌଶଳ ବ୍ୟବହାର କରାଯାଇଥିଛି ।

ରୋହତଙ୍ଗ ପାସ୍ ଅଧୀନରେ ଏହାକୁ ଜୁନ୍ ୩, ୨୦୦୦ ରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହାର ଭିତ୍ତି ପ୍ରସ୍ତର ମେ‘ ୨୬, ୨୦୦୨ରେ ରଖାଯାଇଥିଲା ।ଅଟଳ ଟନେଲର ନାମ ପୂର୍ବରୁ ରୋହତଙ୍ଗ ଟନେଲ ରଖାଯାଇଥିଲା । ଡିସେମ୍ବର ୨୪, ୨୦୧୯ରେ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମ ବାର୍ଷିକୀରେ କେନ୍ଦ୍ର ସରକାର ବାଜପେୟୀଙ୍କୁ ସମ୍ମାନିତ କରିବା ପାଇଁ ରୋହତଙ୍ଗ ଟନେଲକୁ ଅଟଳ ଟନେଲ ନାମରେ ନାମିତ କରିଥିଲେ।