ଅସୁସ୍ଥ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ମା’ ହୀରାବେନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ପ୍ରଧାନମନ୍ତ୍ରୀ….

ଗାନ୍ଧୀନଗର: ମା’ ହୀରାବେନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅହମ୍ମଦାବାଦସ୍ଥିତ ଡାକ୍ତରଖାନାରେ ପହଂଚିଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ତାଙ୍କର କିଛି ମନ୍ତ୍ରୀ ଡାକ୍ତରଖାନାରେ ପହଂଚିଥିଲେ । ୟୁଏନ୍‌ ମେହଟ୍ଟା ଡାକ୍ତରଖାନା ବାହାରେ ଅସୁମାରୀ ଲୋକଙ୍କ ଭିଡ଼ ଜମିଛି । ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍‌ ହୀରାବା ଅସୁସ୍ଥ ଅନୁଭବ କରିଥିଲେ । ଡାକ୍ତରଖାନାର ଏକ ଡାକ୍ତର ଟିମ୍‌ ତାଙ୍କୁ ୨୪ ଘଂଟିଆ ସେବା ପ୍ରଦାନ କରୁଛନ୍ତି । ଡାକ୍ତରଖାନା ପକ୍ଷରୁ ବୁଧବାର ଅପରାହ୍ଣରେ ପ୍ରସାରିତ ବୁଲେଟିନ୍‌ ଅନୁସାରେ ଏବେ ହୀରାବେନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି । ଚଳିତ ଜୁନ ମାସରେ ତାଙ୍କର ଶହେତମ ଜନ୍ମଦିନ ପାଳନ କରାଯାଇଥିଲା ।

ମା’ ହୀରାବେନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାହୁଲ ଗାନ୍ଧୀ । ମା-ପୁଅ ସଂପର୍କକୁ ରାହୁଲ ଅନନ୍ତ ଓ ଅମୂଲ୍ୟ କହିଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟ୍ୱିଟ୍‌ କରି ମା’ ହୀରାବେନଙ୍କ ଆରୋଗ୍ୟ କାମନା କରିଛନ୍ତି ।
ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାରରେ ଯୋଗଦାନ କରିଥିବା ଅବସରରେ ଡିସେମ୍ବର ୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କୁ ଭେଟି ଆଶୀର୍ବାଦ କାମନା କରିଥିଲେ ।