ନୂଆ ସଂସଦ ଭବନର ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଆଜିଠାରୁ ନୂତନ ସଂସଦ ଭବନରେ ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଛି । ନୂଆ ଲୋକସଭାରେ ପ୍ରଧାନମନ୍ତ୍ରୀ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି । ଏଥିସହିତ ପ୍ରଥମ କାର୍ଯ୍ୟକ୍ରମରେ ନାରୀଶକ୍ତି ବନ୍ଦନ ଅଧିନିୟମ ଉପସ୍ଥାପନ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସଂସଦ ଭବନର ଏହା ପ୍ରଥମ ଐତିହାସିକ ଅଧିବେଶନ । ସେଥି ପାଇଁ ପ୍ରତ୍ୟେକ ସାଂସଦ ଅଭିନନ୍ଦନର ପାତ୍ର । ସେ ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନର ପ୍ରଥମ ଦିବସରେ ଗୃହକୁ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସର୍ବପ୍ରଥମେ ଉଦ୍‌ବୋଧନ ଦେବାକୁ ବାଚସ୍ପତି ସୁଯୋଗ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ସ୍ୱତନ୍ତ୍ର ଅବସରର ବିଶେଷତ୍ୱ ସମ୍ପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଭାରତ ନୂଆ ସାଂସଦଭବନରେ ପ୍ରବେଶ କରି ଭବିଷ୍ୟତ ନିମନ୍ତେ ଏକ ସଂକଳ୍ପ ନେଇ ଆଗକୁ ବଢୁଛି । ସମ୍ପ୍ରତି ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚନ୍ଦ୍ରଯାନ-୩ର ସଫଳତା ଏବଂ ଜି-୨୦ର ସଫଳ ଆୟୋଜନ କରି ଭାରତ ବିଶ୍ୱ ସ୍ତରରେ ତାହାର ପ୍ରଭାବ ଓ ପ୍ରତିଷ୍ଠା ବଢାଇଛି।

ଭାରତକୁ ଏଥି ସହିତ ଆଉ ଏକ ଅନୁପମ ସୁଯୋଗ ମିଳିଛି । ଆମେ ନୂଆ ସଂସଦ ଭବନକୁ ଆଜି ପ୍ରବେଶ କରିଛନ୍ତି । ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହୋଇଛି । ଗଣେଶ ଚତୁର୍ଥୀର ଶୁଭ ଲଗ୍ନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଭୁ ଗଜାନନ ସମୃଦ୍ଧି, ଶୁଭ ବିଚାର ଓ ଜ୍ଞାନର ଦେବତା । ଅତଏବ ତାଙ୍କ୍ ଜନ୍ମ ଦିବସରେ ନୂଆ ଉତ୍ସାହ ଓ ଶକ୍ତି ନେଇ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବାକୁ ଯାତ୍ରା ଆରମ୍ଭ କରିବାର ଏହା ଉପଯୁକ୍ତ ଦିନ । ନୂଆ ଆରମ୍ଭ ଓ ଗଣେଶ ଚତୁର୍ଥୀ ଅବସରରେ ଲୋକମାନ୍ୟ ତିଳକ ଗଣେଶ ଚତୁର୍ଥୀକୁ ଦେଶରେ ସ୍ୱରାଜର ଏକ ଆଲୋକ ବର୍ତ୍ତିକାରେ ପରିଣତ କରିବାକୁ ଏକ ମାଧ୍ୟମ ବା ମଂଚରେ ପରିଣତ କରିଥିଲେ । ଆଜି ମଧ୍ୟ ଆମେ ସମାନ ପ୍ରେରଣା ନେଇ ଆଗକୁ ବଢୁଛୁ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆଜି ମଧ୍ୟ ସମ୍ଭତ୍‌ସାରି ପର୍ବ ପାଳିତ ହେଉଛି । ଏହା କ୍ଷମା କରିବା ବା କ୍ଷମା ଦେବାର ଉତ୍ସବ । କେହି ଯଦି କାହା ପ୍ରତି ଉଦ୍ଦେଶ୍ୟମୂଳକ ବା ଅଣ ଉଦ୍ଦେଶ୍ୟମୂଳକ ଭାବେ କିଛି କାମ କରି କ୍ଷତି ସାଧନ କରିଥାଏ ତା’ ହେଲେ ସେଥିରୁ ମୁକ୍ତି ବା କ୍ଷମା ପାଇବା ପାଇଁ ଏହି ପର୍ବ ପାଳିତ ହୋଇଥାଏ । ଏହି ଉତ୍ସବର ମହତ୍ୱ ହେଲା ମିଚ୍ଛାମି ଦୁକ୍କଦମ ବା ସମସ୍ତଙ୍କୁ କ୍ଷମା କରି ଦେଇ ବା ନିଜ କୃତକର୍ମ ପାଇଁ କ୍ଷମା ଯାଚନା କରି ଅତୀତରେ ସବୁ ତିକ୍ତତାକୁ ଭୁଲି ଆଗକୁ ବଢିବା ।

ଲୋକସଭାରେ ସ୍ଥାପିତ ହୋଇଥିବା ପବିତ୍ର ସେଙ୍ଗଲ ବା ରାଜଦଣ୍ଡ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ନୂଆ ଓ ପୁରୁଣା ମଧ୍ୟରେ ଏକ ସଂଯୋଗ । ଏହି ରାଜଦଣ୍ଡ ସ୍ୱାଧୀନତାର ପ୍ରଥମ ଆଲୋକ । ଦେଶରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ପବିତ୍ର ସେଙ୍ଗଲକୁ ପ୍ରଥମେ ସ୍ପର୍ଶ କରିଥିଲେ । ତେଣୁ ସେଙ୍ଗଲ ଆମକୁ ଆମ ଇତିହାସର ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଂଶ ସହିତ ସଂଯୁକ୍ତ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂଆ ସଂସଦ ଭବନର ଭବ୍ୟତା ଅମୃତକାଳକୁ ଅଭିଷିକ୍ତ କରୁଛି । ଏହା ମଧ୍ୟ ଏହି ଭବନ ନିର୍ମାଣେରେ ନିୟୋଜିତ ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଶ୍ରମ ତଥା ଅବଦାନକୁ ସ୍ମରଣ କରାଉଛି । ମହାମାରୀ ସମୟରେ ମଧ୍ୟ ସେମାନେ ଏହାର ନିର୍ମାଣ କାର୍ଯ୍ୟରେ ଲାଗିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହର ସମସ୍ତ ସଦସ୍ୟ ଇ-ଇଞ୍ଜିନିୟର ଓ ଶ୍ରମିକମାନଙ୍କ ଅବଦାନର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୩୦ହଜାରରୁ ଅଧିକ ଶ୍ରମିକ ସଂସଦ ଭବନ ନିର୍ମାଣରେ ନିୟୋଜିତ ଥିଲେ । ସଂସଦରେ ରହିଥିବା ଏକ ଡିଜିଟାଲ ବୁକ୍‌ରେ ସବୁ ଶ୍ରମିକଙ୍କ ନାମ, ଧାମ ଓ ଠିକଣା ସବିଶେଷ ଉଲ୍ଲେଖ ଅଛି ।ଏହି ଭବନ ନିର୍ମାଣରେ ଆମ ଇଞ୍ଜିନିୟର ଓ ଶ୍ରମିକମାନଙ୍କର ଝାଳ ଲାଗିଛି ।

ଆମ କ୍ରିୟା ପରେ ସୃଷ୍ଟି ହେଉଥିବା ପ୍ରଭାବ ଓ ଭାବପ୍ରବଣତା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଆଜିକାର ଭାବନା ଆମ ବ୍ୟବହାରରେ ପ୍ରତିଫଳିତ ହେବ । ଭବନ ବଦଳିଛି ତେଣୁ ଭାବ ମଧ୍ୟ ବଦଳିବା ଆବଶ୍ୟକ ।

ସଂସଦ ଦେଶସେବାର ସର୍ବୋଚ୍ଚ ପୀଠ । ଏହା କୌଣସି ରାଜନୀତିକ ଦଳର ଲାଭ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା କେବଳ ଦେଶର ବିକାଶ ପାଇଁ ଅଭିପ୍ରେତ । ଏହି ଗୃହର ସଦସ୍ୟ ଭାବେ ଆମେ ସମ୍ବିଧାନର ମର୍ଯ୍ୟାଦା ଓ ଚେତନାକୁ ବଜାୟ ରଖିବା ଆବଶ୍ୟକ । ଏହା ଆମର କଥା, ବିଚାର ଓ କାର୍ଯ୍ୟରେ ପ୍ରତିଫଳିତ ହେବା ଉଚିତ । ଶ୍ରୀ ମୋଦୀ ବାଚସ୍ପତିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ଦିଗ୍‌ଦର୍ଶନରେ ଗୃହର ପ୍ରତ୍ୟେକ ସଦସ୍ୟ ଆଶାନୁରୂପ ଆଚରଣ ପ୍ରଦର୍ଶନ କରି ସଂସଦର ଆଶା ଆକାଂକ୍ଷା ପୂରଣ କରିବେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଗୃହରେ ସଦସ୍ୟମାନଙ୍କ ଆଚରଣ ଉପରେ ସର୍ବସାଧାରଣଙ୍କର ନଜର ରହୁଛି । ସେମାନେ ଶାସକ କିମ୍ବା ବିରୋଧୀ ଯେଉଁ ପକ୍ଷରୁ ହୁଅନ୍ତୁ ନା କାହିଁକି ସମସ୍ତଙ୍କ ଆଚରଣ ସମ୍ପର୍କରେ ଲୋକେ ଅବଗତ ହେଉଛନ୍ତି ।

ସାଧାରଣ କଲ୍ୟାଣ ପାଇଁ ସମ୍ମିଳିତ ଆଲୋଚନା ଓ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତା ବଳରେ ଆମେ ଲକ୍ଷ୍ୟ ସାଧନ ସହଜରେ କରିପାରିବା । ଆମେ ସମସ୍ତେ ସଂସଦୀୟ ପରମ୍ପରାର ଲକ୍ଷ୍ମଣରେଖାକୁ ମାନିବା ଆବଶ୍ୟକ ।

ସମାଜର ସଫଳ ପରିବର୍ତ୍ତନରେ ରାଜନୀତିର ଭୂମିକା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିବା ବେଳେ ଖେଳକୁଦଠାରୁ ମହାକାଶ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନ ତଥା ସଫଳତା ବିଷୟରେ ଆଲୋକପାତ କରିଥିଲେ । ଜି-୨୦ ବୈଠକରେ ସମଗ୍ର ବିଶ୍ୱ କିପରି ମହିଳା ନେତୃତ୍ୱଧୀନ ବିକାଶ ସୂତ୍ରକୁ ଗ୍ରହଣ କଲା ସେ ବିଷୟରେ କହିଥିଲେ । ଏ ଦିଗରେ ସରକାରଙ୍କ ପ୍ରୟାସ ଅର୍ଥପୂର୍ଣ୍ଣ ଓ ସଫଳ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ୫୦କୋଟି ଜନଧନ ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ସେମାନଙ୍କର ବ୍ୟାଙ୍କ ଖାତା ରହିଛି । ମୁଦ୍ରା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହିଳାମାନଙ୍କୁ କିପରି ଅଗ୍ରାଧିକାର ଦିଆଯାଉଛି ତାହା ମଧ୍ୟ ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଯେ କୌଣସି ରାଷ୍ଟ୍ରର ବିକାଶ ଯାତ୍ରାରେ ଏପରି ଏକ ସମୟ ଆସେ ଯେତେବେଳେ ଇତିହାସ ସୃଷ୍ଟି ହୁଏ । ଆଜି ସେମିତି ଭାରତର ବିକାଶ ଯାତ୍ରାରେ ଏକ ସମୟ ଆସିଛି ଯେଉଁଠି ଇତିହାସ ଲେଖା ହେଉଛି । ସଂସଦରେ ମହିଳା ସଂରକ୍ଷଣ ନେଇ ହୋଇ ଆସୁଥିବା ବିଚାର ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏ ସଂକ୍ରାନ୍ତ ପ୍ରଥମ ବିଲ୍ ସଂସଦରେ ୧୯୯୬ରେ ଉପସ୍ଥାପିତ ହୋଇଥିଲା । ଅଟଳଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଏହି ବିଲ୍ ଏକାଧିକବାର ଉପସ୍ଥାପିତ ହୋଇ ପାରିତ ହୋଇ ପାରି ନ ଥିଲା। କାରଣ ଏଥିପାଇଁ ଆବଶ୍ୟକ ସମର୍ଥନର ଅଭାବ ଥିଲା ।

ତେଣୁ ମହିଳାମାନଙ୍କର ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ମୁଁ ଭାବୁଛି ଏହି କାମଟିକୁ କରିବା ପାଇଁ ଈଶ୍ୱର ମୋତେ ବାଛିଛନ୍ତି। ସେ କହିଥିଲେ ଯେ ସଂସଦର ମହିଳାମାନଙ୍କ ଏ ସଂକ୍ରାନ୍ତ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସମ୍ଭବ ହୋଇ ନ ଥିଲା । ସେ କହିଥିଲେ ସଂସଦରେ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । “୨୦୨୩ ସେପ୍ଟେମ୍ବର ୧୯ର ଏହି ଐତିହାସିକ ଦିବସ ଭାରତ ଇତିହାସରେ ଅମର ହେବାକୁ ଯାଉଛି।” ମହିଳାମାନେ ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖୁଥିବାରୁ ରାଷ୍ଟ୍ର ନିର୍ମାଣ ପାଇଁ ନୀତି ନିର୍ଦ୍ଧାରଣ ଓ ପ୍ରସ୍ତୁତିରେ ସେମାନଙ୍କୁ ଉଲ୍ଲେଖନୀୟ ଭାବେ ପ୍ରତିନିଧିତ୍ୱ ଦିଆଯିବା ଉଚିତ । ଏହି ଐତିହାସିକ ଦିବସରେ ମହିଳାମାନଙ୍କ ପାଇଁ ସୁଯୋଗର ଦ୍ୱାର ଖୋଲିବାକୁ ସେ ସବୁ ସଦସ୍ୟମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ମହିଳା ନେତୃତ୍ୱାଧୀନ ବିକାଶ ସଂକଳ୍ପକୁ ଆଗକୁ ବଢାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସରକାର ଆଜି ଏକ ବୃହତ୍ ସମ୍ବିଧାନ ସଂଶୋଧନ ବିଲ୍ ସଦନରେ ଉପସ୍ଥାପିତ କରୁଛି । ଏହି ବିଲ୍‌ର ଉଦ୍ଦେଶ୍ୟ ହେଲା ଲୋକସଭା ଓ ସବୁ ରାଜ୍ୟର ବିଧାନସଭାରେ ମହିଳା ପ୍ରତିନିଧିତ୍ୱ ବୃଦ୍ଧି କରାଇବା ଓ ସେମାନଙ୍କୁ ଅଧିକ ଆସନ ଦେବା । ନାରୀଶକ୍ତି ବନ୍ଦନ ଅଧିନିୟମ ପାଇଁ ମୁଁ ଆମର ମା’,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି ।

ମୁଁ ଦେଶର ସବୁ ମା’, ଭଉଣୀ ଓ ଝିଅମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଏହି ବିଲ୍‌କୁ ଆଇନରେ ପରିଣତ କରିବାକୁ ଆମେ ଦୃଢ ସଂକଳ୍ପ । ମୁଁ ସଦନରେ ଉପସ୍ଥିତ ଥିବା ସବୁ ସଦସ୍ୟମାନଙ୍କୁ ଅନୁରୋଧ କରୁଛି ଯେ ଏହି ବିଲ୍‌ଟି ଯଦି ସର୍ବସମ୍ମତିକ୍ରମେ ପାରିତ ହୋଇ ଆଇନରେ ପରିଣତ ହୁଏ ତା’ହେଲେ ଏହା ଆମ ପାଇଁ ଏକ ପବିତ୍ର ଶୁଭାରମ୍ଭ ହେବ । ତାହା ହୋଇପାରିଲେ ନୂଆ ଆଇନର ଶକ୍ତି ଓ ସାମର୍ଥ୍ୟ ଅନେକ ବଢିଯିବ । ଅତଏବ ଉଭୟ ଗୃହ ଏହି ମହିଳା ସଂରକ୍ଷଣ ବିଲ୍‌କୁ ସର୍ବସମ୍ମତିକ୍ରମେ ପାରିତ କରିବାକୁ ମୁଁ ସବୁ ସଦସ୍ୟଙ୍କୁ ଅନୁରୋଧ କରୁଛି ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ।