ଗଙ୍ଗାକୋଳରେ ଜଳଯାତ୍ରା, କାଶୀରୁ ସୁନ୍ଦରବନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଦେଶର ବିଭିନ୍ନ କ୍ଷେତ୍ରରେ ଆମୂଳଚୁଳ ପରିବର୍ତନ ଦେଖିବାକୁ ମିଳୁଛି । ଦେବ ଦୀପାବଳି ଭଳି ପର୍ବକୁ ସ୍ମରଣୀୟ କରିବା ପାଇଁ ଆରମ୍ଭ କରାଯାଇଥିବା ଉଦ୍ୟମର ପରିଣାମ ସ୍ୱରୂପ ୨୦୨୩ ଜାନୁଆରୀରୁ ବାରାଣସୀ ଗଙ୍ଗାଘାଟରୁ ଆରମ୍ଭ ହେଉଛି ଦେଶର ଦୀର୍ଘତମ ନୌକାଯାତ୍ରା । ପବିତ୍ର ଗଙ୍ଗାନଦୀ କୋଳରେ ଭାସିଭାସି ଯାଉଥିବ ସୁସଜ୍ଜିତ ପୋତଟିଏ । ଉକ୍ତ ପୋତରେ ସୁଶୋଭିତ କକ୍ଷ । କକ୍ଷରେ ଜଳଯାତ୍ରାର ଆନନ୍ଦ ନେଉଥିବେ କିଛି ଯୋଗଜନ୍ମା ବ୍ୟକ୍ତି । ଏପରି ସ୍ମରଣୀୟ ଯାତ୍ରାରେ ପ୍ରଧାନମନ୍ତ୍ରୀ ମୋଦୀ ଭାଗ ନନେଲେ, ନୌକାଯାତ୍ରାଟି ପାଣିଚିଆ ହୋଇଯିବ ।
ଏହି ଯାତ୍ରୀବାହୀ ନୌକାଟି ବାରାଣସୀରୁ ଦିବ୍ରୁଗଡ଼ ପର୍ଯ୍ୟନ୍ତ ପ୍ରାୟ ୫୦ ଦିନ ଧରି ଯାତ୍ରା କରିବ । ସେହି ରୋମାଂଚକ ଜଳଯାତ୍ରା ଭିତରେ ରହିଛି କାଜିରଙ୍ଗା ଓ ସୁନ୍ଦରବନ ଭଳି ଅଫୁରନ୍ତ ସୌନ୍ଦର୍ଯ୍ୟର ଗନ୍ତାଘର । ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ତିଆରି କରାଯାଇଛି ନଦୀରେ ଯାତ୍ରା କରିବା ଭଳି ଜାହାଜଟିଏ ଯାହାର ନାମ ଗଙ୍ଗା ବିଳାସ । ପୋତଟିର ଲମ୍ବା ୬୨.୫ ମିଟର, ଓସାର ୧୨.୮ ମିଟର । ୩୨୦୦ କିଲୋମିଟର ଜଳଯାତ୍ରା ପାଇଁ ପ୍ରସ୍ତୁତ ପୋତଟି ସବୁଦିଗରୁ ସୁରକ୍ଷିତ ବୋଲି ଆଲୋଚନା ଚାଲିଛି । ପୋତଟିରେ ୧୮ଟି ସୁନ୍ଦର ସୁନ୍ଦର କକ୍ଷ ରହିଛି ।
ଭବିଷ୍ୟତରେ ଏହି ଜାହାଜଟି ବ୍ୟବସାୟିକ ଭିତିରେ ବ୍ୟବହାର କରାଯିବାର ସମ୍ଭାବନା ରହିଛି । ଧନିକ ବର୍ଗର ଲୋକମାନେ ଉକ୍ତ ପୋତଟିରେ ନୌବିହାର କରିପାରିବେ । ଅବଶ୍ୟ ସେଥିପାଇଁ ସେମାନଙ୍କୁ ମୋଟା ଅଙ୍କର ପାଉଣା ଦେବାକୁ ପଡ଼ିବ । ମୋଦୀ ସରକାର ରଦି କାଗଜକୁ ବିକି ଦଳ ପାଇଁ ଚାନ୍ଦା ସାଉଁଟି ଚାଲିଛନ୍ତି । ତେଣୁ ଗଙ୍ଗା ବିଳାସ ପୋତଟିକୁ ନିର୍ମାଣ କରିବାରେ ସରକାର ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି । ତା’ର ୧୦ ଗୁଣ ରୋଜଗାର କରିବାର ବାଟ ମଧ୍ୟ ତିଆରି କରିଛନ୍ତି ।