ଆମ ଖେଳାଳି ମାଛ ଖାଇବାକୁ ଆଗ: ଗାଭାସ୍କର

କଥାରେ ଅଛି, ବଗ ମାଛ ଖାଇବାକୁ ଟାକି ରହିଥାଏ । ମାତ୍ର କାମ କରିବା କଥା ପଡ଼ିଲେ, ନାନା ବାହାନା କରି ପଳାୟନ କରେ । ପୂର୍ବତନ କ୍ରିକେଟିୟର ସୁନିଲ ଗାଭାସ୍କର ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ କିଛି କଟୁ ଟିପ୍ପଣୀ କରିଛନ୍ତି । ଗାଭାସ୍କର କହିଛନ୍ତି, ଆମ ଖେଳାଳିମାନେ ଆଇପିଏଲ୍‌ ଖେଳିବାକୁ ତୟାର । ପୁଳାପୁଳା ଟଙ୍କା ଲୋଭରେ ଶରୀର ଫିଟ୍‌ ନଥିଲେ ମଧ୍ୟ କୌଣସିମତେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ଦାଖଲ କରି ଆଇପିଏଲ୍‌ ମ୍ୟାଚ୍‌ ଖେଳୁଛନ୍ତି । ଆଇପିଏଲ୍‌ ମ୍ୟାଚରେ ବ୍ୟାଟରୁ ଲମ୍ବା ସଟ୍‌ ବାହାରିଯାଏ । ମାତ୍ର ଭାରତ ପାଇଁ ଖେଳିବା କଥା ପଡ଼ିଲେ ସେମାନଙ୍କ ହାତଗୋଡ଼ ଶିଥିଳ ପଡ଼ିଯାଏ । ହାତରେ ଥିବା ବ୍ୟାଟ୍‌ ମସ୍ତିଷ୍କ କଥା ଶୁଣିବାକୁ ନାରାଜ । ଏ ପ୍ରକାର ମାନସିକତା ରଖିଥିବା ଖେଳାଳିମାନଙ୍କୁ ଟିମ୍‌ ଇଣ୍ଡିଆରୁ ତୁରନ୍ତ ବାହାର କରି ଦିଆଯିବା ଦରକାର ।

ଏକ ଟିକି କାର୍ଯ୍ୟକ୍ରମରେ ଭାଗ ନେଇ ଗାଭାସ୍କର କହିଛନ୍ତି, ଯଦି ବହୁଦେଶୀୟ ମ୍ୟାଚ୍‌ ଜିତିବାର ଅଛି । ଟିମରେ ବେଶି ବଦଳାଇବାର ଆବଶ୍ୟକତା ନାହିଁ । ସାମାନ୍ୟ ବଦଳାଇବାର ଅଛି ଯେ ଭାରତୀୟ ଟିମ୍‌ ଡିକ୍‌ସିନାରୀରୁ କାମଚାପ ଶବ୍ଦଟି ହଟାଇଦେବାର ଅଛି । ଆମ ଖେଳାଳିମାନେ ଚାରି ଓଭର ବ୍ୟାଟି କି ବୋଲିଂ କରିଦେଲେ ସେମାନଙ୍କ ଉପରେ କାମଭାର ପଡ଼ିଯାଉଛି । ଏପରି ଦୁର୍ବଳ ଶବ୍ଦ ରହିଥିବା ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ଜିତିବାର ମନୋଭାବ ରହିବ ନାହିଁ । ଟିମରେ ଖେଳାଳିଙ୍କୁ ଲଗାତର ବଦଳାଇଲେ, ଶକ୍ତିଶାଳୀ ପରିଣାମ ଆଶା କରିବା ବୃଥା ।