ମହାକାଳଙ୍କ ଦର୍ଶନ କରି ରାହୁଲ କହିଲେ ଜୟ ମହାକାଲ

ଶ୍ରମିକ ଓ କୃଷକଙ୍କୁ ତପସ୍ୱୀ କହି ମୁଣ୍ଡରେ ବସାଇଲେ ରାହୁଲ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଚାମ୍ବରରେ ବସି ଦେଶକୁ ଶାସନ କରୁଥିଲା ବେଳେ ଶ୍ରମିକ ଓ କୃଷକଙ୍କୁ ମଣିଷ ଭିତରେ ଗଣୁ ନଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପ୍ରଭୁ ମହାକାଳଙ୍କ ଦର୍ଶନ କରିବା ପରେ ଶ୍ରମିକ ଓ କୃଷକଙ୍କ ପ୍ରତି କରୁଣା ବର୍ଷା କରିଛନ୍ତି । ଆଜି ଜନ ସମାବେଶରେ ଯୋଗ ଦେଇ ରାହୁଲ ଗାନ୍ଧୀ ତିନିଥର ‘ଜୟ ମହାକାଳ’ କହି ଭାଷଣ ଆରମ୍ଭ କରିଥିଲେ ।

ପ୍ରାୟ ୨୫ ମିନିଟର ଭାଷଣ ଭିତରେ ରାହୁଲ ତପସ୍ୱୀ ଓ ତପସ୍ୟା ଶବ୍ଦଟିକୁ ବାରମ୍ବାର ଉଚ୍ଚାରଣ କରୁଥିଲେ । ରାହୁଲ କହିଲେ, ଭାରତ ତପସ୍ୱୀଙ୍କ ଦେଶ । ହିନ୍ଦୁଧର୍ମରେ ତପସ୍ୱୀଙ୍କୁ ପୂଜା କରାଯାଏ । ସମାଜରେ ତପସ୍ୱୀଙ୍କର ସ୍ଥାନ ସବୁଠାରୁ ଶୀର୍ଷରେ । ରାହୁଲ ଗାନ୍ଧୀ ଗରିବ, ଶ୍ରମିକ, କୃଷକ, ଯୁବକ ଓ ଛୋଟ ବ୍ୟବସାୟୀଙ୍କୁ ପ୍ରକୃତ ତପସ୍ୱୀ ଭାବେ ଅଭିହିତ କରି କହିଛନ୍ତି, ‘ମୋଦୀ ସରକାର ଏହି ତପସ୍ୱୀଙ୍କ ପାଇଁ କିଛି କରିନାହାନ୍ତି । ମାତ୍ର ଜଣେ ଦୁଇଜଣଙ୍କୁ ପୂଜା କରି ମୋଦୀଜୀ ସବୁ କିଛି ପାଇଛନ୍ତି ।’

ସେ ପୁଣି କହିଛନ୍ତି, ବିଜେପି ଲୋକମାନେ ମନ୍ଦିର ଭିତରେ ଠାକୁରଙ୍କୁ ହାତଯୋଡ଼ନ୍ତି । ମାତ୍ର ମନ୍ଦିର ବାହାରେ ଶ୍ରମିକ, କୃଷକ, ଛୋଟ ବ୍ୟବସାୟୀଙ୍କୁ ଅପମାନିତ କରନ୍ତି । ଶ୍ରମିକ, କୃଷକ, ଛୋଟ ବ୍ୟବସାୟୀ ଓ ଗରିବ ଲୋକଙ୍କ ଭିତରେ ବିଜେପି ଲୋକମାନେ ଭଗବାନଙ୍କୁ ଦେଖି ପାରନ୍ତି ନାହିଁ । ମୋଦୀ ସରକାରଙ୍କ ନୋଟବନ୍ଦୀ ଓ ଜିଏସ୍‌ଟି ଦେଶର ମେରୁଦଣ୍ଡ ଭାଙ୍ଗିଦେଇଛି ।

ଶିକ୍ଷିତ ବେରୋଜଗାର ଯୁବକ ଯୁବତୀଙ୍କ ହାତକୁ କାମ ମିଳିବାର ପ୍ରଶ୍ନ ଉଠୁନି । ମୋଦୀ ସରକାର ରାତି ଆଠଟାରେ ନୋଟବନ୍ଦୀ ଓ ରାତି ବାରଟାରେ ଜିଏସ୍‌ଟି ଲାଗୁ କରି ଦେଶର ଆର୍ଥିକ ବ୍ୟବସ୍ଥାକୁ ସଂପୂର୍ଣ୍ଣ ମାଟିରେ ମିଶାଇ ଦେଇଛନ୍ତି । ଏହି ଦୁଇଟି ବ୍ୟବସ୍ଥା ଟଙ୍କା ଦେଣନେଣ ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରଧାନ ଅସ୍ତ୍ର । ଏହି ଦୁଇଟି କାରଣରୁ ଆଜି ଦେଶର ଅବସ୍ଥା ଜରାଜୀର୍ଣ୍ଣ ।