ଲୋକଙ୍କ ଟଙ୍କାରେ ମହାନାଟକ ‘ମେକ୍‌ ଇନ୍‌ ଓଡ଼ିଶା’

ନିରୀହ ଓଡ଼ିଶାକୁ ଭଣ୍ଡାଉଛନ୍ତି ନବୀନ ପଟ୍ଟନାୟକ..

ଭୁବନେଶ୍ୱର: ନଭେମ୍ବର ୩୦ରୁ ଆରମ୍ଭ ହୋଇଛି ‘ମେକ୍‌ ଇନ୍‌ ଓଡିଶା’ । ୧୩୦ଟି ଦେଶର କମ୍ପାନୀ ଦୁନିଆ ଜନତା ମଇଦାନରେ ଏକଜୁଟ ହୋଇ ଓଡ଼ିଶାବାସୀଙ୍କୁ ସ୍ୱପ୍ନର ଦୁନିଆକୁ ନେଇଯିବେ । ୧୦୦ରୁ ଅଧିକ ଶିଳ୍ପପତି ରାଜ୍ୟ ସରକାରଙ୍କ ଅତିଥିଶାଳାକୁ ରଙ୍ଗୀନ କରିବେ । ଚଳିତ ଶିଳ୍ପ ସମ୍ଭାରରୁ ରାଜ୍ୟ ସରକାର ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତାବ ପାଇବା ଆଶା କରିଛନ୍ତି ।

କରୋନା ମହାମାରୀ ସମୟରେ ମଧ୍ୟ ରାଜ୍ୟ ସରକାରଙ୍କ ନିକଟକୁ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା । ୨୦୧୬ ଓ ୨୦୧୮ ତୁଳନାରେ ଚଳିତ ବର୍ଷ ଅଧିକ ନିବେଶ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦିତ ଭାଷଣକୁ ମୁଖସ୍ଥ କରି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ରାଜ୍ୟବାସୀଙ୍କୁ ଏକ ସ୍ୱପ୍ନର ରାଇଜକୁ ନେଇ ଯାଇଛନ୍ତି । ରାଜ୍ୟରେ ଅନିଲ ଅଗ୍ରୱାଲ, ନବୀନ ଜିନ୍ଦଲ, ଲକ୍ଷ୍ମୀନାରାୟଣ ମିତଲଙ୍କ ଭଳି ଶିଳ୍ପପତିମାନେ ପାଦ ପକାଇବେ ବୋଲି ସୂଚନା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଏତେ ସପନକୁ ଦେଖିବା ପାଇଁ ରାଜ୍ୟବାସୀଙ୍କ ନିକଟରେ ସମୟର ଅଭାବ । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେ ବିଦେଶୀ ପାଣି ପକାଇଦେଇ ଆରାମରେ ଲମ୍ବା ସପନ ଦେଖିପାରିବେ । ଖଟିଖିଆ ଓଡ଼ିଶା କେବଳ ବୋକାଙ୍କ ଭଳି ଅନେଇ ପାରିବ । ମେକ୍‌ ଇନ୍‌ ଓଡିଶାର ଟିକେଟ୍‌ କିଣି ଭିତର ରମଣୀୟ ଦୃଶ୍ୟ ଦେଖିବା ପାଇଁ ସାଲିଆସାହି ବସ୍ତିର ଧୂଳିଆ ଲୋକଙ୍କ ପାଖରେ ସମୟ ଆସିବ କୋଉଠୁ?

ରାଜ୍ୟର ଖଣି, ପାଣି, ପବନ, ଜମିବାଡ଼ି, ବିଜୁଳି ଲୁଟିବା ପାଇଁ ବିଦେଶୀ ଶିଳ୍ପପତିମାନଙ୍କୁ ଅପାର ସୁଯୋଗ ଦିଆଯାଉଛି । ଅଥଚ ରାଜ୍ୟ ଭିତରେ କମ୍ପାନୀ ପ୍ରତିଷ୍ଠା କରି ଓଡ଼ିଶାକୁ ଆନ୍ତର୍ଜାତିକ ବଜାରରେ ଗୌରବମୟ କରିବାର ଦକ୍ଷତା ରଖିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ସର୍ବଦା ଉପେକ୍ଷା କରି ଚାଲିଛନ୍ତି । ରାଜ୍ୟରେ ସକ୍ରିୟ ଗଣମାଧ୍ୟମର ପ୍ରତିନିଧିମାନେ ଭଲଭାବରେ ଜାଣିଛନ୍ତି ଯେ ନବୀନ ଜିନ୍ଦଲ, ଅନିଲ ଅଗ୍ରୱାଲ, ଲକ୍ଷ୍ମୀ ମିତଲଙ୍କ ଭଳି ଶିଳ୍ପପତିମାନେ ପ୍ରଥମ ଥର ପାଇଁ ଓଡିଶା ଆସୁନାହାନ୍ତି ।

ମୁଖ୍ୟମନ୍ତ୍ରୀ ଦୁବାଇଠାରୁ ଆରମ୍ଭ କରି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଅହମଦାବାଦ, ହାଇଦ୍ରାବାଦ, ଜାମନଗର ଓ କୋଏମ୍ବାଟୁର ପ୍ରଭୃତି ସ୍ଥାନରେ ରୋଡ୍‌ ସୋ କରି ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି ବୋଲି ପ୍ରତାପ ଦେବ ଗର୍ଜିଛନ୍ତି । ରାଜ୍ୟରେ ଖଣିଜ, ଧାତବ, ପେଟ୍ରୋରସାୟନ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ସବୁଜଶକ୍ତି କ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି । ଯୁବଶକ୍ତିକୁ ଆଇଟି କ୍ଷେତ୍ର ପ୍ରତି ଆକୃଷ୍ଟ କରାଯାଇଛି । ପ୍ରତାପଙ୍କର ଲମ୍ବା ଭାଷଣକୁ ସଂକ୍ଷିପ୍ତ ରୂପ ଦେଇ ଗୋଟିଏ ବାକ୍ୟରେ ପ୍ରକାଶ କଲେ, ତାହା ହେଉଛି ‘ରାଜ୍ୟର ସାଢେ଼ ଚାରିକୋଟି ଜନତାଙ୍କୁ ବୋକା ମଣି ୬ ଲକ୍ଷ କୋଟିର ନିବେଶ ସପନ ଦେଖାଇ ୨୦୨୪ ନିର୍ବାଚନକୁ ଜିତିବାର ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନବାବୁ ।