ମଶା ତ ମଶା ଏମିତି ମଶା, କାମୁଡ଼ିଲେ ହୃତପିଣ୍ଡ ଓ କିଡ୍‌ନୀ ଫେଲ୍‌

ଏସିୟାନ୍‌ ଟାଇଗର ପ୍ରଜାତି ମଶାର ବୈଜ୍ଞାନିକ ନାମ ଏଡିଜ୍‌ ଆଲ୍‌ବୋପିକ୍ଟସ….

ନୂଆଦିଲ୍ଲୀ: ମଶା କାମୁଡ଼ିଲେ ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗ ହେବା ମାମୁଲି । ମାତ୍ର ନିକଟରେ ଜର୍ମାନୀରେ ଗୋଟିଏ ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଭୟରେ କାଠ ହୋଇଯିବେ । ଜଣେ ୨୭ ବର୍ଷ ବୟସର ଯୁବକ ମଶା କାମୁଡ଼ାର ଶିକାର ହୋଇ କୋମାକୁ ଚାଲି ଯାଇଛନ୍ତି । ଏପରିକି ୩୦ଟି ଅସ୍ତ୍ରୋପଚାର କରିବାକୁ ପଡ଼ିଛି । ସୂଚନା ମୁତାବକ ରୋଡରମାର୍କ ନିବାସୀ ସେବାଷ୍ଟିୟନ ରୋତ୍‌ସ୍କେଙ୍କୁ ଏସିଆନ୍‌ ଟାଇଗର ପ୍ରଜାତିର ମଶା କାମୁଡ଼ି ମରଣ ମୁହଁରେ ପକାଇଛି । ଏହି ମାମଲାଟି ୨୦୨୧ ଗ୍ରୀଷ୍ମ ସମୟର କଥା ।

ମଶା କାମୁଡ଼ିବାରୁ ସେବାଷ୍ଟିୟନଙ୍କୁ ଜ୍ୱର ଲକ୍ଷଣ ପ୍ରକାଶ ପାଇଲା । ତାଙ୍କର ସ୍ୱାସ୍ଥ୍ୟ କ୍ରମେ ଜଟିଳ ଆଡ଼କୁ ଗତି କଲା । ସେ ଶେଯରୁ ଉଠି ପାରିଲେନି । ଖାଇବା ପିଇବା ଛାଡ଼ି ଦେଲେ । ତାଙ୍କୁ ହସ୍ପିଟାଲରେ ଭର୍ତି କରାଗଲା । ପରୀକ୍ଷାରୁ ଜଣାପଡ଼ିଲା, ସେବାଷ୍ଟିୟନଙ୍କ ରକ୍ତର ବିଷ ଚରିଗଲା । ସେ ଏଭଳି ଆକ୍ରାନ୍ତ ହେଲେ ଯେ ସେବାଷ୍ଟିୟନଙ୍କ ଜଙ୍ଘର ପ୍ରାୟ ୫୦ ଭାଗ ସଢ଼ିଗଲା । ତା’ ସହିତ ଯକୃତ, କିଡ୍‌ନୀ, ଫୁସଫୁସ ଓ ହୃତପିଣ୍ଡ ଏକପ୍ରକାର ଅଚଳ ହୋଇଗଲା ।

ରକ୍ତରେ ବିଷମାତ୍ରା ଅଧିକ କାରଣରୁ ସେବାଷ୍ଟିୟନ ଚାରି ସପ୍ତାହ ପାଇଁ କୋମାକୁ ଚାଲିଗଲେ । ତାଙ୍କ ଗୋଡ଼କୁ ସଚଳ କରିବା ପାଇଁ ୩୦ଟି ଅପରେସନ୍‌ କରିବାକୁ ପଡ଼ିଲା । ଅପରେସନ୍‌ରେ ତାଙ୍କର ଗୋଡ଼ର ଦୁଇଟି ଆଙ୍ଗୁଳିର ଅଧା କାଟିବାକୁ ପଡ଼ିଲା । ଟେଷ୍ଟ କରିବାରୁ ଜଣାପଡ଼ିଲା, ସେରେସିୟା ମାର୍ସେସେନ୍ସ ନାମକ ଜୀବାଣୁ ତାଙ୍କର ଜଙ୍ଘକୁ ନଷ୍ଟ କରି ଦେଇଥିଲା । ଏସିୟାନ୍‌ ଟାଇଗର ପ୍ରଜାତି ମଶାର ବୈଜ୍ଞାନିକ ନାମ ଏଡିଜ୍‌ ଆଲ୍‌ବୋପିକ୍ଟସ । ସାଧାରଣତଃ ଏହି ମଶା ଦକ୍ଷିଣ-ପୂର୍ବ ଏସିଆର ଘଂଚ ଜଙ୍ଗଲ, ସନ୍ତସନ୍ତିଆ, ଉପକୂଳ ଓ ତ୍ରିକୋଣ ଭୂମି ଅଂଚଳରେ ଦେଖିବାକୁ ମିଳନ୍ତି । ତେଣୁ ସେମାନଙ୍କୁ ଜଙ୍ଗଲି ମଶା କୁହାଯାଏ । ଗତ କିଛିବର୍ଷ ଭିତରେ ଏହି ବିଷାକ୍ତ ମଶା ୟୁରୋପର ବହୁ ଦେଶକୁ ବ୍ୟାପିଗଲାଣି ।

ଜିକା ଭାଇରସ୍‌, ୱେଷ୍ଟ ନାଇଲ ଭାଇରସ୍‌, ଚିକନଗୁନିଆ ଓ ଡେଙ୍ଗୁରୋଗକୁ ବ୍ୟାପିବାରେ ସାହାଯ୍ୟ କରୁଥିବା ମଶାଙ୍କ ଭଳି ଏହି ମଶା ଦିନରେ ସୁସ୍ଥ ଲୋକଙ୍କୁ କାମୁଡ଼ି ଥାଏ । ଏହି ମଶା କାମୁଡ଼ିବା ଫଳରେ ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡ ବୁଲାଇବା, ଜ୍ୱର, ଶ୍ୱାସକ୍ରିୟାରେ କଷ୍ଟ, ନାକ ଓ ଦାନ୍ତମାଢ଼ିରୁ ରକ୍ତ ପଡ଼ିବା, ହାଲିଆ ଅନୁଭବ କରିବା, ଅଶ୍ୱସ୍ତିବୋଧ କରିବା, ଯକୃତରେ ପୂଜ, ବାନ୍ତି ଓ ଝାଡ଼ାରେ ରକ୍ତ ପଡ଼ିବା, ଆଖିବିନ୍ଧା, ମୁଣ୍ଡ ବିନ୍ଧା ଓ ଚର୍ମ ସଂକ୍ରମଣ ହୋଇଥାଏ । ମଶା କାମୁଡ଼ିବାର ସାତ ଦିନ ଭିତରେ ଏଭଳି ଲକ୍ଷଣ ପ୍ରକାଶ ପାଇଥାଏ ।