ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ: ୪୬ ମୃତ, ୭୦୦ ଆହତ

ହସ୍ପିଟାଲ କୋଠା ଭୁଶୁଡ଼ି ୨୦ ମୃତ

ଜାକର୍ତା: ସୋମବାର ଇଣ୍ଡୋନେସିଆରେ ଅନୁଭୂତ ଭୂକମ୍ପରେ ଅନ୍ୟୁନ ୪୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ୭୦୦ରୁ ଅଧିକ ଲୋକ ଊଣାଅଧିକେ ଆହତ ହୋଇଛନ୍ତି । ରାଜଧାନୀ ଜାକର୍ତା ସମେତ ଆଖପାଖ ଇଲାକାରେ ବସବାସ କରୁଥିବା ଲୋକମାନେ ପିଲାମାନଙ୍କୁ ଧରି ଜୀବନ ବିକଳରେ ଘରୁ ବାହାରି ଖୋଲା ସ୍ଥାନକୁ ଧାଇଁ ପଳାଇଥିଲେ । ଭୂକମ୍ପ ଭୟରେ ଲୋକମାନେ ପିଲାପିଲିଙ୍କୁ ଧରି ଘର ଭିତରକୁ ଯିବାକୁ ଡରୁଛନ୍ତି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିଲା ଓ ତା’ର କେନ୍ଦ୍ରସ୍ଥଳ ଜାଭାର ସିୟାଂଜୁର ଥିଲା । ଗୋଟିଏ ହସ୍ପିଟାଲର କୋଠା ଭୁଶୁଡ଼ି ଯିବାରୁ ୨୦ ଜଣ ଚିକିତ୍ସାଧୀନ ରୋଗୀଙ୍କର ପ୍ରାଣହାନି ଘଟିଛି । କିଛି ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ବହୁ ଭଙ୍ଗାରୁଜା କୋଠା, ଧ୍ୱଂସପ୍ରାପ୍ତ ମଲ, କ୍ଷତିଗ୍ରସ୍ତ ଯାନବାହନ ଦେଖିବାକୁ ମିଳିଛି । ଭଙ୍ଗାକୋଠା ତଳୁ ବିପନ୍ନଙ୍କ ଉଦ୍ଧାର ଚାଲିଛି । ରାଜଧାନୀ ଜାକର୍ତାର ଗଳିକନ୍ଦିରୁ ଆମ୍ବୁଲାନ୍ସ ସାଇରନ୍‌ ଥମିବାର ନାହିଁ । ସରକାରଙ୍କ କ୍ୱିକ୍‌ ଆକ୍ସନ୍‌ ଟିମ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।
ପ୍ରତିବର୍ଷ ୨୦ ହଜାରରୁ ଅଧିକ ଭୂକମ୍ପ ଅନୁଭୂତ ହେଉଥିଲେ ମଧ୍ୟ ସେଥିଭିତରୁ ପ୍ରାୟ ୧୦୦ଟି ଭୂକମ୍ପ ଧନଜୀବନ ହାନି କରିଥିବାର ରେକର୍ଡ ରହିଛି । ୨୦୦୪ରେ ଭାରତ ମହାସାଗରରେ ଅନୁଭୂତ ଭୂକମ୍ପ ପ୍ରାୟ ୧୦ ମିନିଟ୍‌ ଥିଲା ।