ହସୁଛି ବାଣ ରାଜଧାନୀ ଶିବକାଶୀ

ନୂଆଦିଲ୍ଲୀ: ବାଣ’ର ଏନ୍ତୁଡ଼ିଶାଳ କହିଲେ ଶିବକାଶୀକୁ ବୁଝାଏ । ଭାରତର ତାମିଲନାଡୁ ରାଜ୍ୟର ଛୋଟିଆ ସହର ହେଉଛି ଶିବକାଶୀ । ଇଂରେଜ ଶାସନାଧୀନ ଭାରତରେ କଲିକତା (ଆଜିର କୋଲକାତା) ବାଣ’ର ଏନ୍ତୁଡ଼ିଶାଳ ଥିଲା । କଲିକତାରେ ବ୍ରିଟିଶ ସରକାର ବାରୁଦରୁ ବାଣ ତିଆରି କଲେ । ବାରୁଦରୁ ଦିଆସିଲି କରାଗଲା । ଘରେ ଘରେ ଦିଆସିଲି ପରିଚିତ ହେଲା । ଆଧୁନିକ ଭାରତର କଲିକତାରେ ପ୍ରଥମେ ବାଣ କାରଖାନା ପ୍ରତିଷ୍ଠା କରାଯାଇଥିଲା । ପରେ ତାହା ଦକ୍ଷିଣ ଭାରତର ଶିବକାଶୀକୁ ଦଖଲ କଲା । ଊନ୍ନବିଂଶ ଶତାବ୍ଦୀରେ ଛୋଟ ମାଟିଘଡ଼ି ଭିତରେ ବାରୁଦ ଭରି ‘ଫୋଟକା’ ତିଆରି କରାଗଲା । ଉକ୍ତ ଫୋଟକା’କୁ ଭୂମିରେ ପିଟି ଦେବାରୁ ପ୍ରକାଣ୍ଡ ଶବ୍ଦ କରି ଫୁଟୁଥିଲା । ତା’ ସହିତ ନିଅାଁଝୁଲ ବିଛାଡ଼ି ହୋଇ ଚାରିଆଡ଼କୁ ପଡୁଥିଲା ।

ଶିବକାଶୀକୁ ବାଣ ଯିବା ପଛରେ ମଧ୍ୟ ରୋଚକ କାହାଣୀଟିଏ ଅଛି । ୧୯୨୩ରେ ଶିବକାଶୀର ଆୟା ନାଦର ଓ ଶାମୁଙ୍ଗା ନାଦର ପରିବାର ପ୍ରତିପୋଷଣ ପାଇଁ କଲିକତାରେ ପହଂଚିଲେ । କାମ ଖୋଜିବାକୁ ଯାଇ ଦୈବାତ୍‌ କ୍ରମେ ଗୋଟିଏ ଦିଆସିଲି କାରଖାନାରେ ପହଂଚିଲେ । କଲିକତାରେ ଆଠମାସ କାମ କରି ନାଦର ଭାଇ ଶିବକାଶୀ ଫେରିଗଲେ । ଜର୍ମାନୀରୁ ମେସିନ ଆଣି ଅନୀଲ ଓ ଆୟନ ବ୍ରାଣ୍ଡ’ରେ ଦିଆସିଲି ତିଆରି କରି ବଜାରକୁ ଛାଡ଼ିଲେ । ଦିଆସିଲି ବ୍ୟବସାୟରୁ ବାଣ ବ୍ୟବସାୟ ଆରମ୍ଭ କଲେ । ନାଦର ଭାଇଙ୍କ କାରଖାନାର ଶ୍ରମିକମାନେ ଘରେ ଦିଆସିଲି ଓ ବାଣ ତିଆରି କରି ବିକିବା ଆରମ୍ଭ କଲେ । ଶିବକାଶୀର ଗଳିକନ୍ଦିରେ ବାଣ କାରଖାନା ପ୍ରତିଷ୍ଠା ହେଲା ।