ଶ୍ରମଜୀବୀ ବିସ୍ଫୋରଣ ମାମଲା: ଦୁଇ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ

ଜୌନପୁର: ୨୦୦୫ରେ ସଂଘଟିତ ଶ୍ରମଜୀବୀ ଟ୍ରେନ ବିସ୍ଫୋରଣ ମାମଲାର ବିଚାର କରି ତଳକୋର୍ଟ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଆତଙ୍କୀମାନେ ଆରଡିଏକ୍ସ ବୋମା ବଳରେ ଟ୍ରେନଟିକୁ ଉଡାଇ ଦେଇଥିଲେ । ପରିଣାମ ସ୍ୱରୂପ ୧୪ ଜଣ ପ୍ରାଣ ହରାଇଥିଲେ ଓ ୬୧ ଜଣ ଆହତ ହୋଇଥିଲେ ।

ଆତଙ୍କୀ ସଂଗଠନ ହରକତ-ଉଲ-ଜିହାଦ-ଅଲ-ଇସଲାମୀର ଦୁଇଜଣ ଆତଙ୍କୀ ହିଲାଲୁଦ୍ଦିନ ଓ ନଫିକୁଲ ବିଶ୍ୱାସଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଆସାମୀ ହିଲାଲୁଦ୍ଦିନ ଘର ବାଂଲାଦେଶରେ; ସେ ଟ୍ରେନରେ ବୋମା ଖଞ୍ଜିଥିଲା । ଅନ୍ୟ ଆସାମୀ ନଫିକୁଲ ଘର ପଶ୍ଚିମବଙ୍ଗ; ସେ ବୋମା ଖଞ୍ଜିବା କାମରେ ହିଲାଲୁଦ୍ଦିନକୁ ସହାୟତା କରିଥିଲା । ଏହି ମାମଲାରେ ଅନ୍ୟ ଦୁଇଜଣ ଦୋଷୀଙ୍କୁ ୨୦୧୬ରେ ଫାଶି ଦଣ୍ଡାଦେଶ ଦିଆଯାଇଥିଲା ।