ଟିଏମ୍‌ସି ନେତା ପାର୍ଥ ଚାଟାର୍ଜୀଙ୍କୁ ଚପଲ ମାଡ଼

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପାର୍ଥ ….

କୋଲକାତା: ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କ ଉପରକୁ ଜୋତା ଫୋପାଡ଼ିଛନ୍ତି ଜଣେ ମହିଳା । ପ୍ରତି ୪୮ ଘଂଟା ବ୍ୟବଧାନରେ ପାର୍ଥ ଓ ଅର୍ପିତାଙ୍କୁ ଇଏସ୍‌ଆଇ ହସ୍ପିଟାଲକୁ ନିଆଯାଇ ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ବୁଧବାର ଉଭୟଙ୍କୁ ଏସି କାରରେ ବସାଇ ପୁଲିସ ମେଡିକାଲରୁ ଜେଲକୁ ଫେରାଇ ଯାଉଥିବା ବାଟରେ ଏପରି ଘଟଣା ଘଟିଥିଲା । ଚପଲ ଫିଙ୍ଗିବା ପରେ ଉକ୍ତ ମହିଳା କହିଥିଲେ, ଚପଲଟି ତାଙ୍କ ଚନ୍ଦାମୁଣ୍ଡରେ ବାଜିଥିଲେ ବହୁତ ଖୁସି ହୋଇଥାନ୍ତି । ଗରିବ ଲୋକଟି ମୁଣ୍ଡର ଝାଳ ତୁଣ୍ଡରେ ମାରି ଟଙ୍କା ରୋଜଗାର କରୁଛନ୍ତି । ମାତ୍ର ପାର୍ଥ ଭଳି ଲୋକଙ୍କୁ ଦାମୀ କାରରେ ନିଆଯାଉଛି ।
ଆଜି ସକାଳେ ଅର୍ପିତା ଇଡି ଅଧିକାରୀଙ୍କ ଆଗରେ କହିଛନ୍ତି ଯେ ତାଙ୍କ ଫ୍ଲାଟ୍‌ରୁ ଜବତ ଟଙ୍କା ତାଙ୍କର ନୁହେଁ । ଏତେ ପରିମାଣର ଟଙ୍କା କୁଆଡୁ ଆସିଲା, ତାହା ମଧ୍ୟ ତାଙ୍କୁ ମାଲୁମ ନାହିଁ । ଅନ୍ୟପକ୍ଷେ ପାର୍ଥ ଚାଟାର୍ଜୀ ଇଡିକୁ କହିଛନ୍ତି ଯେ ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଛି । ପାର୍ଥ ଓ ଅର୍ପିତାଙ୍କ ନାମରେ କିଣା ଯାଇଥିବା ୬ଟି ଜାଗାବାଡ଼ି ଉପରେ ଇଡି ଚଢ଼ଉ କରିଛି ।

ଶିକ୍ଷକ ନିଯୁକ୍ତି ମହାଦୁର୍ନୀତିରୁ ଅର୍ଜିତ ଟଙ୍କାକୁ ଧଳା କରିବା ପାଇଁ ମନି ଲଣ୍ଡରିଂ ସହାୟତା ନିଆଯାଇଥିବାର ସନ୍ଦେହ କରୁଛି ଇଡି । ସୋମବାର ରାତିରେ ଇଡି ଅଧିକାରୀମାନେ ଅର୍ପିତାଙ୍କ ବେଲଘାରିଆସ୍ଥିତ ଘର ଉପରେ ଚଢ଼ାଉ କରି ସିସିଟିଭି ଫୁଟେଜ ଯାଂଚ କରିବା ସହ ଏଂଟ୍ରି ଖାତାକୁ ଛାନ୍ନଭିନ୍‌ କରିଥିଲେ ।