ବ୍ଲେଡ୍‌ ମିସାଇଲ୍‌ ମାଡ଼ରେ ଆତଙ୍କୀ ଜୱାହିରୀ ଚିତ୍‌

କୁଖ୍ୟାତ ଆତଙ୍କୀ ସଂଗଠନ ଅଲ୍‌-କାଇଦାର ପ୍ରମୁଖ ନେତା ଆୟମାନ….

ୱାଶିଂଟନ୍‌: କୁଖ୍ୟାତ ଆତଙ୍କୀ ସଂଗଠନ ଅଲ୍‌-କାଇଦାର ପ୍ରମୁଖ ନେତା ଆୟମାନ ଅଲ୍‌ ଜୱାହିରୀ ଉପରକୁ ଦୁଇଟି ମିସାଇଲ୍‌ ମାଡ଼ କରାଯାଇଥିଲେ ମଧ୍ୟ ତା’ର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି । ଖାଲି ସେତିକି ନୁହେଁ, ମିସାଇଲ ମାଡ଼ରେ ଜୱାହିରୀର ସୁରକ୍ଷାକର୍ମୀଙ୍କ ଭିତରୁ କେହି ମୃତାହତ ହୋଇନାହାନ୍ତି । ଏପରିକି ମିସାଇଲ ଫୁଟିବାର ଶବ୍ଦ କାହାରି କାନକୁ ଶୁଣାଯାଇ ନଥିଲା । ଜୱାହିରୀ ଉପରକୁ ପ୍ରୟୋଗ କରାଯାଇଥିବା ମିସାଇଲ ନାମ ହେଉଛି, ଆର୯ଏକ୍ସ ହେଲିଫାୟାର ମିସାଇଲ୍‌ । ଏହି ମିସାଇଲର ଆଉ ଗୋଟିଏ ନାମ ହେଉଛି ନିଞ୍ଜା । ବିସ୍ଫୋଟକ ବଦଳରେ ମିସାଇଲରେ ୬ଟି ବ୍ଲେଡ୍‌ ଖଞ୍ଜା ଯାଇଥାଏ, ଯାହା ଶରୀରରେ ବାଜିବା ମାତ୍ରେ ଟୁକୁଡ଼ା ଟୁକୁଡ଼ା କରିଦିଏ । ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲରେ ଜୱାହିରୀ ରହୁଥିଲା । ଜଣେ ସିକ୍ରେଟ୍‌ ଏଜେଂଟ ଜୱାହିରୀଙ୍କ ପ୍ରାଣହୀନ ଶରୀରକୁ ଦେଖି ଚିହ୍ନିବା ପରେ ରାଷ୍ଟ୍ରପତି ଜୋଏ ବାଇଡେନଙ୍କୁ ଜଣାଇଥିଲେ ।

ବାଇଡେନ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ରବିବାର ସକାଳ ପ୍ରାୟ ୬ଟା ୧୮ ମିନିଟରେ କାବୁଲ ଅନ୍ତର୍ଗତ ଶେରପୁରସ୍ଥିତ କୋଠାର ବାଲକୋନିରେ ଜୱାହିରୀ ଚାଲବୁଲ କରୁଥିଲା । ଠିକ୍‌ ସେତିକିବେଳେ ଦୁଇଟି ଆର୯ଏକ୍ସ ମିସାଇଲ ତାଙ୍କ ଶରୀରରେ ବାଜିଥିଲା ।