ସ୍ପୁଟନିକ ଲାଇଟକୁ ଜରୁରୀ ବ୍ୟବହାର ପାଇଁ ଅନୁମୋଦନ

ନୂଆଦିଲ୍ଲୀ: ଭାରତକୁ ଖୁବଶୀଘ୍ର ଆସିବ ସିଙ୍ଗଲ ଡୋଜ ଭ୍ୟାକ୍ସିନ । ଏନେଇ ଡିସିଜିଆଇ ଗ୍ରୀନ ସିଗନାଲ ଦେବା ପରେ ଆରମ୍ଭ ହେବ ସିଙ୍ଗଲ ଡୋଜ କୋଭିଡ ଭ୍ୟାକ୍ସିନ । ତେବେ ଏହି ଟିକା ବିଭିନ୍ନ ନିୟାମକ ବ୍ୟବସ୍ଥା ମଧ୍ୟରେ ଦିଆଯିବ ବୋଲି ବିଶେଷଜ୍ଞ ପ୍ୟାନେଲ କହିଛନ୍ତି । ଗତ ଜାନୁଆରୀ ୩୧ରେ ବସିଥିବା ଏକ ବୈଠକରେ ସ୍ପୁଟନିକ ଲାଇଟର ଆମଦାନି ପାଇଁ ପ୍ରସ୍ତାବ ଦାଖଲ କରାଯାଇଥିଲା । ଏହାର ଜରୁରୀକାଳୀନ ବ୍ୟବହାର ତଥା ବୁଷ୍ଟର ଡୋଜ ପାଇଁ ଆବେଦନ କରାଯାଇଥିଲା । ସେହିପରି ସ୍ପୁଟନିକ ଲାଇଟର କାର୍ଯ୍ୟକ୍ଷମତା ଓ ନିରାପତ୍ତା ଆଦି ସମ୍ପର୍କରେ ରିପୋର୍ଟ କରାଯାଇଥିଲା ଓ ଏହି ଟିକା ଓମିକ୍ରନ ବିରୋଧରେ ଫଳପ୍ରଦ ବୋଲି କୁହାଯାଇଥିଲା ।

ଅନ୍ୟପକ୍ଷରେ ଏହି ଟିକା ୨୯ରୁ ଅଧିକ ରାଷ୍ଟ୍ରରେ ବ୍ୟବହାର ହେଉଛି । ଏହି ରିପୋର୍ଟରେ ବିଶେଷଜ୍ଞ ପ୍ୟାନେଲ ଦର୍ଶାଇଥିଲା ଯେ ସ୍ପୁଟନିକ ଲାଇଟକୁ ନେଇ ଭାରତରେ ସଫଳ ପରୀକ୍ଷଣ କରାଯିବା ସହ ନିରାପତ୍ତା ଓ ପ୍ରତିରୋଧ କ୍ଷମତା ପ୍ରମାଣିତ ହୋଇଛି । ଯଦି ଏହି ଟିକାକୁ ଅନୁମତି ମିଳିଲେ ତେବେ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଏହା ଦିଆଯାଇପାରିବ ।