କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଚେଙ୍କ: ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି

ଗୁରୁବାର ଦିନ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ନରେଶ କୁମାର ଅବସର ଗ୍ରହଣ କରିବାର ଥିଲା । ତାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିବା ପାଇଁ ମୋଦୀ ସରକାର ଯୋଜନା କରୁଥିବା ଦେଖି ଦିଲ୍ଲୀର ଆପ୍‌ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀର ନିର୍ବାଚିତ ସରକାରଙ୍କ ପିଟିସନକୁ ବିଚାରଯୋଗ୍ୟ ମନେ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ନିକଟରୁ ଜବାବ ସୁଆଲ କରିଥିଲେ ।

ବୁଧବାର ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୁଡ଼ କେନ୍ଦ୍ର ସରକାରଙ୍କ ବଳିଷ୍ଠ ଯୁକ୍ତିକୁ ଯୁକ୍ତିସଙ୍ଗତ ମଣିଛନ୍ତି । ମୋଦୀ ସରକାରଙ୍କ ପ୍ରସ୍ତାବକୁ ଅନୁମତି ଦେବା ସମୟରେ ସୁପ୍ରିମକୋର୍ଟ କହିଥିଲେ ଯେ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କ ନିଯୁକ୍ତି ଓ କାର୍ଯ୍ୟକାଳ ବୃଦ୍ଧି କରିବା ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଛି । ତଦନୁସାରେ ମୋଦୀ ସରକାର ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିପାରିବେ ।

ସୂଚନା ଥାଉକି, ଦିଲ୍ଲୀର ପୁଲିସ ପ୍ରଶାସନ, ରାଜସ୍ୱ ବିଭାଗ ଭଳି କେତୋଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଉପରେ କେଜ୍ରିୱାଲ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଦିଲ୍ଲୀକୁ ରାଜ୍ୟ ମାନ୍ୟତା ଦିଆଯାଇଥିଲେ ମଧ୍ୟ ସେଠାକାର ନିର୍ବାଚିତ ସରକାରଙ୍କୁ ନିରଙ୍କୁଶ କ୍ଷମତା ଦିଆଯାଇନି । ଦିଲ୍ଲୀର ସର୍ବୋଚ୍ଚ ଶାସନକର୍ତା ହେଉଛନ୍ତି ଉପ-ରାଜ୍ୟପାଳ ।