ତାମିଲନାଡୁ ମନ୍ତ୍ରୀ ବାଲାଜୀଙ୍କୁ ମିଳିଲାନି ଜାମିନ

ବେଆଇନ ଟଙ୍କା କାରବାର ମାମଲାରେ ଗିରଫ ହୋଇ ଏବେ ଜେଲରେ ରହିଥିବା ଅଭିଯୁକ୍ତ ତାମିଲନାଡୁ ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ମେଡିକାଲ ସେବା ଆଧାରରେ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଲେ ।

ଜଷ୍ଟିସ୍‌ ଏମ୍‌ ତ୍ରିବେଦୀ ଓ ଜଷ୍ଟିସ୍‌ ସତିଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ବାଲାଜୀଙ୍କ ଜାମିନ ଆବେଦନର ବିଚାର କଲାବେଳେ କହିଥିଲେ, ଆପଣ ସେତେ ଗମ୍ଭୀର ବେମାରରେ ପୀଡ଼ିତ ଥିବାର ଜଣାପଡୁନ । ଆପଣଙ୍କ ସ୍ୱାସ୍ଥ୍ୟ ରିପୋର୍ଟକୁ ଦେଖିଲେ ଜଣାପଡୁନି ଯେ ଆପଣ ଭୟଙ୍କର ବେମାରରେ ପୀଡ଼ିତ ।

ବାଲାଜୀଙ୍କ ଓକିଲ ମୁକୁଲ ରୋହତଗୀ ଖଣ୍ଡପୀଠଙ୍କ ନିକଟରେ ମେଡିକାଲ ରିପୋର୍ଟ ଦାଖଲ କରି କହିଥିଲେ ଯେ ମାମଲାଟି ଜାମିନ ମଞ୍ଜୁରଯୋଗ୍ୟ । ଅଭିଯୁକ୍ତଙ୍କର ବାଇପାସ୍‌ ସର୍ଜରୀ କରାଯାଇଥିଲା । ଯଥା ସମୟରେ ଡାକ୍ତରୀ ସେବା ନପାଇଲେ ଯେକୌଣସି ସମୟରେ ବ୍ରେନ୍‌ ଷ୍ଟ୍ରୋକ୍‌ ଶିକାର ହୋଇପାରନ୍ତି ।

ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ ଆଜିକାଲି ୭୦ ଭାଗ ଲୋକ କୌଣସି ନା କୌଣସି ରୋଗରେ ପୀଡ଼ିତ ।
ଜଷ୍ଟିସ୍‌ ତ୍ରିବେଦୀ କହିଥିଲେ, ଆଜିକାଲି ବାଇପାସ୍‌ ସର୍ଜରୀ ମାମୁଲି ହୋଇଗଲାଣି ।