୪୦% ମହିଳା ପ୍ରାର୍ଥୀ ପ୍ରତିଶ୍ରୁତି ଦେଇ ଚିନ୍ତାରେ କଂଗ୍ରେସ

ୟୁପି: ୪୦ ପ୍ରତିଶତ ମହିଳା ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଏବେ କଂଗ୍ରେସ ଲାଗି ଚିନ୍ତାର କାରଣ ପାଲଟିଛି । ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆଖି ଆଗରେ ରଖି ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଏହି ଘୋଷଣା କରିଥିଲେ । ପ୍ରିୟଙ୍କା ନିଜ ଘୋଷଣା ଅନୁସାରେ ଦଳର ପ୍ରାର୍ଥୀସୂଚୀ ପ୍ରସ୍ତୁତ ହୋଇପାରୁନଥିବା ଜଣାପଡିଛି । ମହିଳାଙ୍କ ଲାଗି ୪୦ ପ୍ରତିଶତ ସଂରକ୍ଷଣ ନିମନ୍ତେ ପ୍ରିୟଙ୍କାଙ୍କ ଘୋଷଣା ଯୋଗୁ ତାଲିକା ପ୍ରସ୍ତୁତ ହୋଇପାରୁନାହିଁ । ଦଳରେ ପ୍ରାର୍ଥୀ ହେବାକୁ ମହିଳା ନ ମିଳିବାରୁ ଏବେ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ ୪୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରିୟଙ୍କା କହିଥିଲେ । ଏହି ଘୋଷଣା ପାର୍ଟି ଲାଗି ସମସ୍ୟା ପାଲଟିଛି । କଂଗ୍ରେସ ଲାଗି ଏବେ ୟୁପିରେ ୪୦ ପ୍ରତିଶତ ପ୍ରଭାବୀ ନେତ୍ରୀଙ୍କୁ ଖୋଜିବା ହେଲା ବଡ ସମସ୍ୟା । ହେଲେ ରାଜ୍ୟ କଂଗ୍ରେସ ଏହା ସ୍ୱୀକାର କରୁନି ।

କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି ଖୁବ୍‌ଶୀଘ୍ର ଏଥିରେ ୪୦ ପ୍ରତିଶତ ମହିଳାଙ୍କୁ ଟିକେଟ୍‌ ଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । କଂଗ୍ରେସର ବଡ ସମସ୍ୟା ହେଉଛି ରାଜ୍ୟ କ୍ଷମତାରୁ ଲୋକେ ପ୍ରାୟ ୩ ଦଶକରୁ ଅଧିକ ହେଲା ଦଳକୁ ଦୂରେଇ ଦେଇଛନ୍ତି । ତେବେ ଏଥର ବିଧାନସଭା ନିର୍ବାଚନରେ ନିଜ ଲାଗି କଂଗ୍ରେସ ନିଜେ ରାସ୍ତା ହାଣିଛି । ୪୦ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିବା ବେଳେ ଦଳରେ ଏତେ ସଂଖ୍ୟକ ମହିଳା ନାହାନ୍ତି । ଏଣୁ ଟାଣୁଆ କଂଗ୍ରେସ ନେତାଙ୍କ ପରିବାରର ମହିଳାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ଦଳ ଯୋଜନା କରିଥିବା ବେଳେ ସେହି ଅନୁସାରେ ଏବେ କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି ।