ଏବେ ଘରୋଇ ହସ୍ପିଟାଲ ମାଗଣା ଚିକିତ୍ସା ଯୋଗାଇବେ: ହାଇକୋର୍ଟ

କଟକ: ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜୀକୃତ ଥିବା ସମସ୍ତ ଘରୋଇ ଚିକିତ୍ସାଳୟ ସରକାରଙ୍କ ନିୟମ ଅନୁଯାୟୀ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇ ଦେବେ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ସୂଚନା ଅନୁସାରେ କଟକ ସିଡିଏର ଏକ ଘରୋଇ ହସ୍ପିଟାଲରେ ଜଣେ କିଡନୀ ଡାଇଲେସିସ ରୋଗୀ ଗୁରୁତର ଅବସ୍ଥାରେ ପହଞ୍ଚିଥିଲେ । ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଦେଖାଇଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଏହି କାର୍ଡକୁ ଗ୍ରହଣ କରିନଥିଲେ । ଚିକିତ୍ସା ପାଇଁ ତୁରନ୍ତ ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହସ୍ପିଟାଲରେ ରୋଗୀଙ୍କ ପରିବାର ୭୦ ହଜାର ଟଙ୍କା ଦେଇ ସାରିଲେଣି । ରୋଗୀଙ୍କ ପକ୍ଷରୁ ଏ ନେଇ ହାଇକୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା । ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡଧାରୀ ସମସ୍ତ ବ୍ୟକ୍ତିଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ପଞ୍ଜିକୃତ ଥିବା ସମସ୍ତ ଘରୋଇ ହସ୍ପିଟାଲ ବାଧ୍ୟ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ରୋଗୀଙ୍କଠାରୁ ନେଇଥିବା ୭୦ ହଜାର ଟଙ୍କା ଫେରାଇକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।