‘ପୁଲିସ-ଜନତା ଭିତରେ ଖାଦ୍ୟ-ଖାଦକ ସମ୍ପର୍କ

’ନୂଆଦିଲ୍ଲୀ: ନଭେମ୍ବର ୭ ତାରିଖ ଦୈନିକ ‘ସମ୍ବାଦ’ରେ ପ୍ରକାଶିତ ‘ବିଗୁଡୁଛି ପୁଲିସ-ଜନତା’ ଖବରଟିକୁ ପଢ଼ିବା ପରେ ରାଷ୍ଟ୍ରୀୟ ଅନୁସୂଚୀତ ଜାତି, ଜନଜାତି ମହାସଂଘର ମୁଖପାତ୍ର ସୀତାରାମ ବେହେରା ପ୍ରତିକ୍ରିୟାରେ କହିଛନ୍ତି, ‘ପୁଲିସ ଓ ଜନତା ଭିତରେ ଖାଦ୍ୟ-ଖାଦକର ରହିଆସିଛି ଓ ରହିଥିବ । ଯାଜପୁରରେ ଟାଟା କମ୍ପାନୀକୁ ପ୍ରଶ୍ରୟ ଦେଇ ପୁଲିସ ନିରୀହ ଆଦିବାସୀଙ୍କ ଉପରକୁ ଗୁଳିମାଡ଼ କରିବା ଘଟଣା ଏବେବି ସାଧାରଣ ଲୋକଙ୍କ ଦୃଷ୍ଟିରୁ ଦୂର ହୋଇନି । ପୁଲିସ ଯେତେ ଚେଷ୍ଟା କଲେ ମଧ୍ୟ ସାଧାରଣ ଜନତାଙ୍କର ପରିବାର ସଭ୍ୟ ହୋଇପାରିବନି ।’

ବିଷୟଟିକୁ ଆଉ ଟିକେ ଆଗେଇ ନେବାରୁ ସେ କହିଲେ, ବ୍ରିଟିଶ ଅମଳରେ ଲୋକଙ୍କ ମନରେ ଭୟ ସୃଷ୍ଟି କରି ଇଂରେଜ ସରକାରଙ୍କ ବିରୋଧରେ ଏକଜୁଟ ହେବା ମନୋଭାବକୁ ଦୁର୍ବଳ କରିବା ପାଇଁ ପୁଲିସ ଥାନା ପ୍ରତିଷ୍ଠା କରାଯାଇଥିଲା । ଲୋକଙ୍କ ଉପରେ ଚାପ ପକାଇବା ପାଇଁ ପୁଲିସକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଦୀର୍ଘ ସାଢେ଼ ୩ ଶହ ବର୍ଷ ଭିତରେ ଗୋଲାମ ଭାରତର ନିରୀହ ଜନତା ପୁଲିସର ନାଁ ଶୁଣିବା କ୍ଷଣି ଭୟରେ ଥରୁଥିଲା । ସ୍ୱାଧୀନତା ଲାଭ କରିବା ସରକାର ବଦଳିଗଲା । ମାତ୍ର ପୁଲିସ ପ୍ରତି ରହିଥିବା ଭୟ ପୂର୍ବଭଳି ଅତୁଟ ରହିଲା । ନିର୍ବାଚିତ ସରକାର କେବେ ସାଧାରଣ ଜନତା ଓ ପୁଲିସ ମଧ୍ୟରେ ସୁସଂପର୍କ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କଲେ ନାହିଁ । ଏବେବି ପୁଲିସ ନାଁ ଶୁଣିଲେ ଲୋକଙ୍କ ଛାତିରେ ଛନକା ପଶିଯାଏ । ଭଲରେ ହେଉ କି ମନ୍ଦରେ, କେହି ଥାନାକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ତା’ର କାରଣ ଏବେମଧ୍ୟ ଥାନାରେ ସାଧାରଣ ଜନତା ଉପରେ ନାଲିଆଖି ଦେଖାଉଛନ୍ତି ପୁଲିସ କର୍ମଚାରୀ ।
ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ସୁସଂପର୍କ ରହୁଛି । ମାତ୍ର ପୁଲିସ ଓ ଜନତାଙ୍କ ଭିତରେ ସୁସଂପର୍କ ରହୁନାହିଁ । ଏହାର କାରଣ ଅପରାଧୀଙ୍କଠାରୁ ପାରିତୋଷିକ ପାଇ ମାମଲାକୁ ଦୁର୍ବଳ କରିବା ପୁଲିସର ଅସ୍ଥିମଜ୍ଜାଗତ ହୋଇଯାଇଛି । ପେସାଦାର ଅପରାଧୀଙ୍କ ସହିତ ପୁଲିସର ନିବିଡ଼ ସଂପର୍କ ରହୁଛି । କିନ୍ତୁ ସାଧାରଣ ଲୋକଟିଏ ଥାନାରେ ପହଂଚି ଅଭିଯୋଗ କଲେ, ପୁଲିସ ତାକୁ ଏଭଳି ପ୍ରଶ୍ନବାଣରେ ଘାଇଲା କରୁଛି ସତେ ଯେପରି ଥାନାକୁ ଯାଇ ସାଧାରଣ ଲୋକଟି ମସ୍ତବଡ଼ ଭୁଲ କରିଛି ।

ନବୀନ ସରକାରଙ୍କ ଅମଳରେ ସବୁ ଥାନାକୁ ୫-ଟି ଅନ୍ତର୍ଭୁକ୍ତ କରାଯିବାର କାରଣ ଥାନାରେ ପଞ୍ଜୀକୃତ ମାମଲା ସଂଖ୍ୟା କମାଇବା । ମାମୁଲି ଅଭିଯୋଗକୁ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ କୌଣସିମତେ ଦଫାରଫା କରିବା ଉପରେ ଜୋର ଦିଆଯାଉଛି । ଫଳରେ ପୂର୍ବଶତ୍ରୁତା, ଘରୋଇ ବିବାଦ ଓ ଛୋଟଛୋଟ ଗଣ୍ଡଗୋଳରେ ପୁଲିସ ଉଭୟ ପକ୍ଷକୁ ଥାନାକୁ ଆଣି ଦୁଇପକ୍ଷର ପକେଟ୍‌କୁ ମାପୁଛି । ଦୁଇପକ୍ଷ ଭିତରୁ ଯୋଉ ପକ୍ଷ ପଲା ଭାରି ରହୁଛି, ତାକୁ ସପକ୍ଷ କରି ଅନ୍ୟଟିକୁ ଡରାଇ ଧମକାଇ ମାମଲାର ଫଇସଲା କରୁଛି; ଆବଶ୍ୟକ ପଡ଼ିଲେ କିଛି ଉପୁରି ଆୟ ହୋଇଯାଉଛି । ଥାନାରେ କମ୍‌ ସଂଖ୍ୟକ ମାମଲା ପଞ୍ଜୀକୃତ ହେବାର ଅର୍ଥ ନବୀନ ସରକାରଙ୍କ ସ୍ୱଚ୍ଛ ଶାସନ ବୋଲି ପ୍ରଚାର କରିବା ।
ପୁଲିସ-ଜନତା ମଧ୍ୟରେ ଅହି-ନକୁଳ ସଂପର୍କ ରହିଆସିଛି ଆଗକୁ ରହିବ । ଚକେଇସିହାଣି ଫାଷ୍ଟଫୁଡ୍‌ ଗଣ୍ଡଗୋଳରେ ପୁଲିସ ମିତ୍ରର ଭୂମିକା ସନ୍ଦେହଜନକ ଥିଲା । ପୁଲିସ ଓ ଜନତାଙ୍କ ମଧ୍ୟରେ ଦଲାଲ କାମ କରୁଛନ୍ତି ପୁଲିସ ମିତ୍ର । ଏଥିରେ ପୁଲିସ-ଜନତା ସଂପର୍କ ଦୃଢ଼ ହେବ କିପରି? ପୁଲିସ ଓ ଜନତାଙ୍କ ସଂପର୍କ ଖାଦ୍ୟ-ଖାଦକର ସଂପର୍କ? ଏ ଚିନ୍ତାଧାରା ହଟାଇବାକୁ ହେଲେ ପୁଲିସକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ ।

ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ପୁଲିସ ବିରୋଧରେ ୮ ହଜାର ମାମଲା ବିଚାରାଧୀନ ରହିଛି । ଅଭିଯୁକ୍ତଙ୍କୁ ଅମାନୁଷିକ ଦଣ୍ଡ ଓ ଅଭିଯୋଗକାରୀ ଅବା ତାଙ୍କ ପରିବାର ଉପରେ ମାନସିକ ଅତ୍ୟାଚାର ଘଟଣା ପୁଲିସ ପ୍ରଶାସନକୁ ବଦନାମ କରୁଛି । କମିଶନରେଟ୍‌ ପୁଲିସର ବିଭିନ୍ନ ଅଧିକାରୀଙ୍କ ବିରୋଧରେ ୯୦ଟି ଅଭିଯୋଗକୁ ମାମୁଲି କୁହାଯାଇପାରେ । ଅଧିକାଂଶ ଅଭିଯୋଗକାରୀ ଥାନାରେ ମାନସିକ ଅତ୍ୟାଚାର ପାଇ ରାଜ୍ୟ ମାନବାଧିକାର କମିଶନ ନିକଟରେ ପୁଲିସ ବିରୋଧରେ ଫେରାଦ ନହେବା କାରଣରୁ ମାମଲା ସଂଖ୍ୟା କମିଛି । ପୁଲିସର ଦାଦାଗିରି ବନ୍ଦ କରିବାକୁ ହେଲେ, ସାଧାରଣ ଜନତାଙ୍କ ମନରୁ ଭୟ ଦୂର କରିବାକୁ ହେବ । ଅତ୍ୟାଚାରୀ ପୁଲିସ କର୍ମଚାରୀଙ୍କ ବିରୋଧରେ ଅଦାଲତକୁ ଯିବା ପାଇଁ କେଉଁ ଧାରା ସବୁ ଅଛି; ସେ ଦିଗରେ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ପଡ଼ିବ । ଏସବୁ ସଂସ୍କାରମୂଳକ କାମ କରିବା ପାଇଁ ଖୋଦ୍‌ ପୁଲିସ ପ୍ରଶାସନ ନିକଟରେ ସତ୍‌ସାହସ ଅଛି ତ?