ଅରୁଣାଚଳ ପ୍ରଦେଶ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (21 ଫେବୃୟାରୀ, 2023) ଇଟାନଗର ଠାରେ ଅରୁଣାଚଳ ପ୍ରଦେଶ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି ..

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ….

ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଶୃଙ୍ଖଳା ଏବଂ ଅନୁଶାସନ ସଂସଦୀୟ ପ୍ରଣାଳୀର ପରିଚୟ ଅଟେ। ଆମେ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେପରି ଆଲୋଚନାର ଉପାଦାନ ଓ ଗୁଣବତ୍ତା ସର୍ବଦା ଉଚ୍ଚତମ ସ୍ତରର ହେବ। ଏହା ସହିତ ଆମେ ବିକାଶ ଏବଂ ଜନ କଲ୍ୟାଣ ବିଷୟରେ ସର୍ବ ସହମତି ସ୍ଥାପନ କରିବା ଆବଶ୍ୟକ। ସେ ଏହା ଉପରେ ନିଜର ସନ୍ତୋଷତା ପ୍ରକାଶ କରିଛନ୍ତି ଯେ ଅରୁଣାଚଳ ପ୍ରଦେଶ ବିଧାନସଭା ସଂସଦୀୟ ଗଣତନ୍ତ୍ରର ଉଚ୍ଚତମ ମାନକକୁ ବଜାୟ ରଖିଛି। ରାଷ୍ଟ୍ରପତି ସୁସ୍ଥ ଗଣତନ୍ତ୍ର ପାଇଁ ସର୍ବୋଚ୍ଚ ସମ୍ମାନ ବଜାୟ ରଖିବାକୁ ନେଇ ବିଧାନସଭାର ବର୍ତ୍ତମାନ ଓ ପୂର୍ବତନ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି।

 

ରାଷ୍ଟ୍ରପତି କହିଛନ୍ତି ଯେ ଆଜିର ଯୁଗରେ ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମକୁ ଶୀଘ୍ର ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡିବ। ଅରୁଣାଚଳ ପ୍ରଦେଶ ପରି ଭୌଗୋଳିକ ସମ୍ବେଦନଶୀଳ ରାଜ୍ୟ ପାଇଁ ଏହି ବିଷୟଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ସନ୍ତୋଷତାର ସହିତ କହିଛନ୍ତି ଯେ ଏହି ରାଜ୍ୟର ନୀତି ନିର୍ଣ୍ଣୟକାରୀମାନେ ଏହି ସମସ୍ୟାର ଯତ୍ନ ନେଇଛନ୍ତି। ପାକ୍କେ ଘୋଷଣାନାମା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ପ୍ରତି ପ୍ରତିବଦ୍ଧତା ଦେଖାଇବାକୁ ଅରୁଣାଚଳ ପ୍ରଦେଶ ନିଷ୍ପତ୍ତି ନେଇଛି। ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲ ଗ୍ରହଣ କରିବାକୁ ଆଗେଇ ଆସିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

‘ଡିଜିଟାଲ ଇଣ୍ଡିଆ’ କାର୍ଯ୍ୟକ୍ରମ ଅଧୀନରେ ‘ଇ-ବିଧାନ’ – କାଗଜହୀନ ଡିଜିଟାଲ ଯାତ୍ରା କାର୍ଯ୍ୟକାରୀ କରିଥିବାରୁ ରାଷ୍ଟ୍ରପତି ଅରୁଣାଚଳ ବିଧାନସଭାକୁ ପ୍ରଶଂସା କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର 2022 ବର୍ଷକୁ ‘ଇ-ଗଭର୍ନାନ୍ସ ବର୍ଷ’ ଭାବରେ ଘୋଷଣା କରିଛନ୍ତି ଏବଂ ଅନେକ ଇ-ଗଭର୍ନାନ୍ସ ପ୍ରକଳ୍ପ ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ କେବଳ ପ୍ରଶାସନିକ ସଂସ୍କାରରେ ସହାୟକ ହେବ ନାହିଁ ବରଂ ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରିବାରେ ମଧ୍ୟ ସହାୟକ ହେବ।

ରାଷ୍ଟ୍ରପତି ଖୁସିର ସହିତ କହିଛନ୍ତି ଯେ ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ବିଧାନସଭା ଲାଇବ୍ରେରୀ ମାଗଣାରେ ଉପଲବ୍ଧ ହେଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ‘ଆପଣଙ୍କର ବିଧାନସଭା ଜାଣନ୍ତୁ’ ପଦକ୍ଷେପ ଅନୁଯାୟୀ ଏହି ବିଧାନସଭା ସମୟ ସମୟରେ ଛାତ୍ରମାନଙ୍କୁ ସେମାନଙ୍କୁ ବିଧାନସଭା କାର୍ଯ୍ୟକଳାପ ସହିତ ପରିଚିତ କରିବାକୁ ଆମନ୍ତ୍ରଣ କରିଥାଏ। ଯୁବ ପୀଢ଼ି ଏହି ସୁବିଧାଗୁଡ଼ିକର ଲାଭ ଉଠାଇ ଦେଶ ତଥା ରାଜ୍ୟର ପ୍ରଗତିରେ ସହଯୋଗ କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ଶତାବ୍ଦୀ ଧରି ସ୍ୱ-ଶାସନ ଏବଂ ତୃଣମୂଳ ଗଣତନ୍ତ୍ରର ଏକ ଜୀବନ୍ତ ବ୍ୟବସ୍ଥା ରହିଆସିଛି। ଏହି ରାଜ୍ୟର ଲୋକମାନେ ଆଧୁନିକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଛନ୍ତି, ଯାହାକି ସେମାନଙ୍କର ରାଜନୈତିକ ଚେତନା ଏବଂ ଗଣତନ୍ତ୍ର ଉପରେ ବିଶ୍ୱାସକୁ ପ୍ରତିଫଳିତ କରିଥାଏ। ସେ କହିଛନ୍ତି ଯେ ନାଗରିକଙ୍କ ପ୍ରତିନିଧୀଙ୍କଠାରୁ ନାଗରିକମାନେ ଆଶା କରୁଛନ୍ତି ଯେ ସେମାନେ ରାଜ୍ୟ ତଥା ଜନ କଲ୍ୟାଣ ପାଇଁ ସର୍ବଦା ଯେପରି ଚେଷ୍ଟା କରିବେ। ରାଜ୍ୟର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ ଭାବରେ ରାଜ୍ୟର ବିକାଶରେ ବିଧାନସଭା ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ରାଷ୍ଟ୍ରପତି କହିଛନ୍ତି ଯେ ଆମ ଦେଶର ସାମଗ୍ରିକ ତଥା ସମନ୍ବିତ ବିକାଶ ପାଇଁ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣ ହେବା ଉଚିତ୍। ଅରୁଣାଚଳ ପ୍ରଦେଶ ବିଧାନସଭା ସମେତ ସମସ୍ତ ରାଜ୍ୟ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ହେବା ଉଚିତ।

ରାଷ୍ଟ୍ରପତି କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଭାରତର ଆକ୍ଟ ଇଷ୍ଟ ପଲିସିର ପ୍ରମୁଖ ଅଂଶୀଦାର ଅଟେ। ସଡକ, ରେଳ ଏବଂ ବାୟୁ ସଂଯୋଗ ଅଭାବ ହେତୁ ଉତ୍ତର-ପୂର୍ବ ଅଞ୍ଚଳ ଦୀର୍ଘ ଦିନରୁ ଅର୍ଥନୈତିକ ବିକାଶର ଲାଭରୁ ବଞ୍ଚିତ ହୋଇଆସୁଛି। କିନ୍ତୁ ଉତ୍ତର-ପୂର୍ବର ସଂଯୋଗ ଏବଂ ବିକାଶକୁ କେନ୍ଦ୍ର ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି। ସେ ଜାଣି ଖୁସି ହୋଇଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ବିକାଶର ସୂର୍ଯ୍ୟ ଉଦିତ ହେଉଛି। ସେ କହିଛନ୍ତି ଯେ ସମୃଦ୍ଧ ପ୍ରାକୃତିକ ସମ୍ପଦ ଏବଂ ଗୁଣାତ୍ମକ ମାନବ ସମ୍ବଳ ସହିତ ଅରୁଣାଚଳ ପ୍ରଦେଶର ଏକ ଆକର୍ଷଣୀୟ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଏବଂ ବାଣିଜ୍ୟ ଏବଂ ବ୍ୟବସାୟର ଏକ ହବ୍ ହେବାକୁ ପୂର୍ଣ୍ଣ ସାମର୍ଥ୍ୟ ରହିଛି।

ରାଷ୍ଟ୍ରପତି କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ମୂଳରୁ ବିଚ୍ଛିନ୍ନ ନ ହୋଇ ବିକାଶ ପଥରେ ଆଗକୁ ବଢ଼ିବାକୁ ନିଶ୍ଚିତ କରିବାକୁ ହେଲେ ଆମକୁ ଏହି ଅଞ୍ଚଳର ପରମ୍ପରା, ସଂସ୍କୃତି ଏବଂ ମୂଲ୍ୟବୋଧର ସଂରକ୍ଷଣ ତଥା ପ୍ରଚାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଅରୁଣାଚଳ ପ୍ରଦେଶର ଲୋକ ପ୍ରତିନିଧୀ ଭାବରେ ରାଜ୍ୟର ସାଂସ୍କୃତିକ ମୂଲ୍ୟବୋଧ ତଥା ପରମ୍ପରାର ସମୃଦ୍ଧତା ରକ୍ଷା କରିବା ସହିତ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଏହି ବିଧାନସଭାର ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ରାଷ୍ଟ୍ରପତିଙ୍କର ଅଭିଭାଷଣ ପଢ଼ିବା ପାଇଁ ଦୟାକରି ଏଠାରେ କ୍ଲିକ କରନ୍ତୁ