ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରୁକରୁ ସରିଗଲା ରାଷ୍ଟ୍ରପତିଙ୍କ ଅଭିଭାଷଣ

ଭାରତୀୟ ଭାଷା ଆମକୁ ଏକତାର ସୂତ୍ରରେ ବାନ୍ଧି ରଖିଛି: ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ପୂର୍ବ ଦିନ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି- ୭୪ତମ ଗଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ଦେଶବିଦେଶରେ ବସବାସ କରୁଥିବା ଭାରତୀୟଙ୍କୁ ହାର୍ଦ୍ଦିକ୍‌ ଅଭିନନ୍ଦନ ଜଣାଉଛି । ଯେତେବେଳେ ଆମେ ଗଣତନ୍ତ୍ର ଦିବସ ପାଳନ କରୁଛୁ । ସେତେବେଳେ ଗୋଟିଏ ଦେଶର ଜନତା ହିସାବରେ ମିଳିମିଶି ରହିବାର ଅନୁଭବ ଲାଭ କରୁଛୁ । ଆମେ ସମସ୍ତେ ଏକ । ଆମେ ସମସ୍ତେ ଭାରତୀୟ । ବହୁବିଧ ଭାଷା ଆମକୁ ବିଭାଜିତ କରିନି, ବରଂ ଆମକୁ ବାନ୍ଧିରଖିଛି । ସେଇଥିପାଇଁ ଆମେ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲାଉଛୁ ।

ଭାରତ ଏକ ଗରିବ ଓ ନିରକ୍ଷର ରାଷ୍ଟ୍ରରୁ ଅଭିଯାନ ଆରମ୍ଭ କରି ଆଜି ବିଶ୍ୱ ଦରବାରରେ ଗଭୀର ଆତ୍ମବିଶ୍ୱାସର ସହ ଠିଆ ହୋଇପାରିଛି । ସମ୍ବିଧାନ ପ୍ରଣେତାଙ୍କର ସାମୁହିକ ଉଦ୍ୟମ ବିନା ଆମ ପକ୍ଷେ ପ୍ରଗତିର ଶୀର୍ଷକୁ ଛୁଇଁବା ଅସମ୍ଭବ ପ୍ରାୟ ଥିଲା ।
ଗତବର୍ଷ ଆମେ ଆର୍ଥିକ ସ୍ତରରେ ବିଶ୍ୱର ପ୍ରଥମ ପାଂଚଟି ରାଷ୍ଟ୍ର ଭିତରେ ଜଣେ ହୋଇପାରିଛୁ । ବିଶ୍ୱ ବଜାରକୁ ଆର୍ଥିକ ମାନ୍ଦାବସ୍ଥାର ଘନ ବାଦଲ ଆଚ୍ଛାଦନ କରି ରଖିଥିଲା ବେଳେ ଭାରତ ଆପଣା ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି ।

ଜାତୀୟ ଶିକ୍ଷାନୀତି ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର କଡ଼ା ଆହ୍ୱାନକୁ ସାମ୍ନା କରିବା ପାଇଁ ଅମୋଘ ଅସ୍ତ୍ର ପାଲଟିଛି । ବିଜ୍ଞାନ ଓ କାରୀଗରି ଜ୍ଞାନକୌଶଳ ଆମକୁ ବିଶ୍ୱ ଦରବାରରେ ଛାତି ଫୁଲାଇ ଠିଆ ହେବାକୁ ସାହସ ଯୋଗାଇଛି । ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମେ ବଛାବଛା ଦେଶଗୁଡ଼ିକ ଭିତରୁ ଜଣେ ହୋଇପାରିଛେ ।

ମହିଳା ସଶକ୍ତିକରଣ ଆଉ କେବଳ ସ୍ଲୋଗାନ ଭିତରେ ସୀମିତ ହୋଇ ରହିନାହିଁ । ଆଗାମୀ କାଲିର ଭାରତକୁ ନବରୂପ ଦେବା କାମରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଯୋଗଦାନ ସର୍ବାଧିକ ରହିବ ବୋଲି ମୋର ଆଶା । ସଶକ୍ତିକରଣର ଏହି ଅଭିଯାନରେ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି, ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରକୁ ସାମିଲ କରିବା ପାଇଁ ସରକାର ବିଭିନ୍ନ ଉପାୟରେ ମାର୍ଗଦର୍ଶନ କରୁଛନ୍ତି ।

ପର୍ଯ୍ୟାବରଣକୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଜନଜାତି ସମୁଦାୟ ସଭ୍ୟ ସମାଜକୁ ଉଚିତ୍‌ ବାଟ ଦେଖାଇପାରିଛି । ପ୍ରାକୃତିକ ସମ୍ପଦର ସୁବିନିଯୋଗ, ପ୍ରାକୃତିକ ସମ୍ବଳର ନିୟନ୍ତ୍ରିତ ବିନିଯୋଗ, ସବୁଜବନାନୀର ସୁରକ୍ଷା ଆମ ପାଇଁ ଗୋଟିଏ ଗୋଟିଏ ଚାଲେଞ୍ଜ ।
ଭାରତର ପରାମର୍ଶକୁ ଗ୍ରହଣ କରି ମିଳିତ ଜାତିସଂଘ ୨୦୨୩କୁ ଆନ୍ତର୍ଜାତିକ ଡାଲି ବର୍ଷ ଭାବେ ଘୋଷଣା କରିଛି । ନିୟମିତ ଭୋଜନରେ ଅଧିକରୁ ଅଧିକ ଡାଲି ବ୍ୟବହାର ପର୍ଯ୍ୟାବରଣକୁ ବଜାୟ ରଖିବାରେ ଯଥେଷ୍ଟ ସହାୟକ ହେବ । ଲୋକମାନେ ବଳିଷ୍ଠ ଓ ରୋଗମୁକ୍ତ ଜୀବନ ଧାରଣ କରିପାରିବେ ।

ମୁଁ କୃଷକ, ଶ୍ରମିକ, ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଅବଦାନକୁ ପ୍ରଶଂସା କରୁଛି । ଯୋଉମାନଙ୍କ ସାମୁହିକ ପ୍ରୟାସ ଆମ ଦେଶକୁ ‘ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ, ଜୟ ଅନୁସନ୍ଧାନ’ ମନ୍ତ୍ରରେ ଉଦ୍‌ବୁଦ୍ଧ କରିଛି । ଦେଶର ପ୍ରଗତିରେ ଯୋଗଦାନ କରିଥିବା ପ୍ରତ୍ୟେକ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ଆମୂଳଚୁଳ ଶୁଣିବା ପରେ ଜାତୀୟ ପଛୁଆ ବର୍ଗ ପ୍ରତିକ୍ରିୟା ପ୍ରକାଶ କରିଛି ଯେ ରାଷ୍ଟ୍ରପତିଙ୍କ ମୁହଁରେ ପ୍ରଧାନମନ୍ତ୍ରୀ ମୋଦୀ ଆପଣା ଗୁଣ ବଖାଣିଛନ୍ତି । ରାଷ୍ଟ୍ରପତିଙ୍କ ମୁହଁରୁ ପ୍ରଶଂସା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ନିଜକୁ ଗୌରବାନ୍ୱିତ ମଣୁଛନ୍ତି ।