ଟ୍ରେନ୍‌ ଲାଇନ୍‌ରୁ ଶାବଳ ଛିଟିକି ଯାତ୍ରୀଙ୍କ ବେକରେ ଗଳିଗଲା

ବଗି ଭିତରେ କୋଳାହଳମୟ ପରିସ୍ଥିତି ଉପୁଜିଥିଲା….

ଲକ୍ଷେ୍ନø: ୟୁପିର ଆଲିଗଡ଼ରେ ନୀଳାଂଚଳ ଏକ୍ସପ୍ରେସରେ ହୃଦୟ ବିଦାରକ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ରେନ୍‌ ଧାରଣା ଉପରେ ରଖାଯାଇଥିବା ଶାବଳଟିଏ ଟ୍ରେନ ଝରକା ବାଟ ଦେଇ ଜଣେ ଯାତ୍ରୀଙ୍କ ବେକ ଓ ମୁଣ୍ଡକୁ ଫୁଟାଇ ଆରପଟକୁ ବାହାରି ଯାଇଛି । ଫଳରେ ଘଟଣାସ୍ଥଳରେ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଯାତ୍ରୀଜଣକ ବସିଥିବା ଟ୍ରେନଟି ଘଂଟା ପିଛା ପ୍ରାୟ ୧୧୦ କିମି ବେଗରେ ଗତି କରୁଥିଲା ।
ଦୁର୍ଘଟଣାଟି ଡାବର-ସୋମନା ଷ୍ଟେସନ୍‌ ମଧ୍ୟରେ ଘଟିଛି ।

ହଠାତ୍‌ କୁଆଡୁ ଆସି ଶାବଳଟି ଯାତ୍ରୀଙ୍କ ବେକରେ ଗଳିଯିବାର ଦେଖି ପାଖରେ ବସିଥିବା ଅନ୍ୟ ଯାତ୍ରୀମାନେ ଆକୁଳ ଚିକ୍ରାର କରିଥିଲେ । ବଗି ଭିତରେ କୋଳାହଳମୟ ପରିସ୍ଥିତି ଉପୁଜିଥିଲା । ମାତ୍ର କେଇ ସେକେଣ୍ଡ ଭିତରେ କମ୍ପାଟମେଂଟ ଭିତରଟି ରକ୍ତରେ ଲାଲ ହୋଇଗଲା । କିଛି ଯାତ୍ରୀ ଚେନ୍‌ ଟାଣି ଟ୍ରେନଟିକୁ ଅଟକାଇଥିଲେ । ଜିଆରପି ଓ ଆରପିଏଫ୍‌ ଘଟଣାସ୍ଥଳକୁ ଆସିଲେ । ମୃତଦେହକୁ ଟ୍ରେନରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।

ରେଳବାଇ ସୂତ୍ରରୁ ଦିଆଯାଇଥିବା ସୂଚନା ମୁତାବକ ପ୍ରାଣ ହରାଇଥିବା ଯାତ୍ରୀଙ୍କ ନାମ ହରିକେଶ କୁମାର ଦୁବେ । ତାଙ୍କ ଘର ସୁଲତାନପୁର ଅନ୍ତର୍ଗତ ଗୋପୀନାଥପୁର ଗାଁରେ । ଦିଲ୍ଲୀରୁ ସୁଲତାନପୁର ଟିକେଟ୍‌ କିଣି ସେ ଗୁରୁବାର ଟ୍ରେନ ଚଢ଼ିଥିଲେ । ମୃତ ହରିକେଶ ଦିଲ୍ଲୀସ୍ଥିତ ଏକ ମୋବାଇଲ ଟାୱାର କମ୍ପାନୀରେ ଟେକ୍‌ନିସିଆନ୍‌ ଥିଲେ । ସେ ଟ୍ରେନର ଜେନେରାଲ ବଗି ଖିଡ଼ିକି ପାଖରେ ବସିଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଶାବଳଟିର ଗତି ଏତେ ତୀବ୍ର ଥିଲା ଯେ ଯାତ୍ରୀଙ୍କୁ ମାରିବା ପରେ ସିଟ୍‌କୁ ଭେଦ କରିଯାଇଥିଲା ।