ମେକ୍‌ ଇନ୍‌ ଓଡ଼ିଶା’କୁ ଦେଖିଲେ ମନେପଡେ଼ ‘ଦରବାର’

ରାଜ୍ୟର ସବୁ ବିଦ୍ୟୁତ ବିତରଣ କେନ୍ଦ୍ର ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କର ଫଟୋମାନ ଶୋଭାପାଉଛି….

ଭୁବେନେଶ୍ଵର : ଦିବଂଗତ କବି ରାଧାନାଥ ରାୟ ଜୀବିତ ଥିଲେ । ଆଉ ଗୋଟିଏ ‘ଦରବାର’ କାବ୍ୟ ଲେଖିଥାନ୍ତେ । ‘ମେକ୍‌ ଇନ୍‌ ଓଡ଼ିଶା’ ମଇଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଚରଣ ଓ ଉଚ୍ଚାରଣ ଦେଖିଥିଲେ ରାଧାନାଥ ରାୟଙ୍କ କଲମ ଥୟ ଧରି ରହି ନଥାନ୍ତା । ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ମନଖୋଲା ଆଲୋଚନା । ଆହା ହା, ସତରେ ଦେଖିବାର ଦୃଶ୍ୟ ଥିଲା । ସତରେ କେଡେ଼ ନିର୍ଦ୍ଦୟ ମୃତ୍ୟୁର ଦେବତା ଯମରାଜ । ଠିକ୍‌ ବେଳକୁ ରାଧାନାଥଙ୍କୁ ନେଇ ବଡ଼ ଅନ୍ୟାୟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଛାବଛା ଶିଳ୍ପପତିଙ୍କ ଗହଣରେ ବସି ଜଳଖିଆ ଖାଇବା ପ୍ରମୁଖ ଆକର୍ଷଣ ଥିଲା । ଗତଥର ମୁକେଶ ଅମ୍ବାନୀ ରାଜ୍ୟ ସରକାରଙ୍କ ପ୍ରମୁଖ ଅତିଥିଙ୍କ ଭିତରେ ରହି ବହୁ ଆତିଥେୟତା ପାଇ ଏଥର ଓଡ଼ିଶାରେ ପାଦ ପକାଇଲେନି । କେମିତି ପକାଇବେ? ରାଜ୍ୟ ସରକାର ତାଙ୍କ ସହ ବ୍ୟବସାୟିକ ସଂପର୍କ ଚ୍ଛିନ୍ନ କରିଦେବାରୁ ମୁକେଶ ଅମ୍ବାନୀଙ୍କୁ ବଡ଼ ବାଧିଛି । ଏଥର ଯୋଉ ୪୦ ଜଣ ଶିଳ୍ପପତି ରାଜ୍ୟ ସରକାରଙ୍କ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ମଜା ନେଇଛନ୍ତି ।

ସେମାନଙ୍କ ଭିତରୁ ଅଧିକାଂଶ ଶିଳ୍ପପତି ରାଜ୍ୟରେ କାରଖାନା ବସାଇଛନ୍ତି । ବାଣିଜ୍ୟ ପ୍ରତିଷ୍ଠାନ ଖୋଲି ସାରିଛନ୍ତି । ସେମାନଙ୍କ ଭିତରୁ କେହି ମୁକେଶ ଅମ୍ବାନୀଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କୁ ଗୁଡ୍‌ ବାଏ କହି ପଳାଇବେନି ତ? ଶୁକ୍ରବାର ମେକ୍‌ ଇନ୍‌ ଓଡ଼ିଶା’ ପୀଠରେ ପାଦ ଦେଇଥିଲେ ଆର୍ସେଲର ଗ୍ରୁପ ଅଧ୍ୟକ୍ଷ ଲକ୍ଷ୍ମୀ ମିତଲ, ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ହିଣ୍ଡାଲକୋ ଏମ୍‌ଡି ସତୀଶ ପାଇ, ଜେଏସ୍‌ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ, ଜେଏସ୍‌ପିଏଲ୍‌ ମୁଖ୍ୟ ନବୀନ ଜିନ୍ଦଲ, ଟାଟା ଷ୍ଟିଲ୍‌ ଏମ୍‌ଡି ଟିଭି ନରେନ୍ଦ୍ରନ୍‌, ଆଦାନି ପୋର୍ଟସ’ର କରନ ଆଦାନି, ରିନ୍ୟୁ ପାୱାର’ର ବୈଶାଳୀ ନିଗମ ସିହ୍ନା, ଆଭାଡା ଏନର୍ଜି’ର ବିନିତ ମିତଲ, ଇମ୍ଫା ଏମ୍‌ଡି ଶୁଭ୍ରକାନ୍ତ ପଣ୍ଡା, ଟାଟା ପାୱାର ଏମ୍‌ଡି ପ୍ରବୀର ସିହ୍ନା ପ୍ରମୁଖ ।

ଟାଟା ପାୱାର ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ବିତରଣ ଓ ଶୁଳ୍ପ ଆଦାୟ ଦାୟିତ୍ୱ ମୁଣ୍ଡାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିରେ ଟାଟା ଗ୍ରୁପର ସ୍ଥାନ ବହୁତ ଉଚ୍ଚରେ । ଦୀର୍ଘ ୭ ଦଶନ୍ଧି ଧରି ଓଡ଼ିଶାବାସୀଙ୍କୁ ଲୁଟିବା କ୍ଷେତ୍ରରେ ଟାଟା ଗ୍ରୁପ ବହୁତ ଆଗରେ ରହିଛି । ଖାସ୍‌ ସେଇଥିପାଇଁ ନବୀନବାବୁ ଟାଟା ପାୱାର’ର ବ୍ରାଣ୍ଡ୍‌ ଆମ୍ବାସାଡ଼ର ପାଲଟି ଯାଇଛନ୍ତି । ରାଜ୍ୟର ସବୁ ବିଦ୍ୟୁତ ବିତରଣ କେନ୍ଦ୍ର ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କର ଫଟୋମାନ ଶୋଭାପାଉଛି । ଫଟୋରେ ନବୀନବାବୁ ଟାଟା ପାୱାର ଗୁଣଗାନ କରୁଛନ୍ତି ।