କଲେଜ ରାଜନୀତିର କଦର୍ଯ୍ୟ ଚେହେରା

ଛାତ୍ରନେତାରୁ ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋୟୀ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍‌ସ ବିଷ୍ଣୋୟୀ ଇଙ୍ଗିତରେ ରାଜସ୍ଥାନର ଜୟପୁରରେ ହାଇ ପ୍ରୋଫାଇଲ ମର୍ଡର ହୋଇଗଲା । ଶ୍ରୀ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ମାରି ଦିଆଗଲା । ମଙ୍ଗଳବାର ଦିବାଲୋକରେ ଅସାମାଜିକ ଲୋକମାନେ ଗୋଗାମେଡିଙ୍କ ଘରେ ପଶି ଆଖିବୁଜା ଗୁଳି ଚଳାଇଲେ । ବିଷ୍ଣୋୟୀ ଗୋଷ୍ଠୀର ସଭ୍ୟ ରୋହିତ ଗୋଦାରା ଫେସବୁକରେ ଲରେନ୍‌ସ ଇଙ୍ଗିତରେ ହତ୍ୟା କରାଯାଇଥିବା ବିଷୟ ସ୍ପଷ୍ଟ କରିଛି ।

୨୦୧୪ ମସିହାରୁ ଲରେନ୍‌ସ ଜେଲ ଭିତରେ ରହିଛି । ତଥାପି ହତ୍ୟା ଓ ଦାଦାବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟର ଲରେନ୍‌ସ ନାମ ସାମ୍ନାକୁ ଆସୁଛି । ଜେଲ ଭିତରେ ରହି ଲରେନ୍‌ସ ଦେଶ-ବିଦେଶରେ ଅପରାଧ ଘଟାଇ ଚାଲିଛି । ଇଡି, ଏନଆଇଏ ସମେତ ଏକାଧିକ ରାଜ୍ୟ ପୁଲିସ ଲରେନ୍‌ସ ବିରୋଧରେ ମାମଲା ରୁଜୁ କରି ସାରିଛନ୍ତି । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା ହତ୍ୟା ମାମଲାରେ ମଧ୍ୟ ଲରେନ୍‌ସର ଭୂମିକା ସାମ୍ନାକୁ ଆସିଥିଲା । ୩୨ ବର୍ଷୀୟ ଲରେନ୍‌ସ ପଞ୍ଜାବର ସମ୍ଭ୍ରାନ୍ତ କୃଷକ ପରିବାରରେ ଜନ୍ମଲାଭ କରିଛି । ପାଠ ପଢ଼ିବା ପାଇଁ ଚଣ୍ଡିଗଡ଼କୁ ଯାଇଥିଲା । କଲେଜରେ ପଢୁଥିବା ସମୟରେ ତା’ର ଜୀବନ ବଦଳିଗଲା । ବାସ୍ତବ ଦୁନିଆରେ ସେ ଗୋଟିଏ ଅପରାଧି ପାଲଟିଗଲା ।

୨୦୧୧-୧୨ରେ ପଞ୍ଜାବ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନର ସଭାପତି ଥିଲା । ୨୦୧୦ ମସିହାରେ ତା’ ବିରୋଧରେ ପ୍ରଥମ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଗଲା । ୨୦୧୧ ଫେବ୍ରୁୟାରୀରେ ତା’ ବିରୋଧରେ ମାଡ଼ପିଟ ଓ ମୋବାଇଲ ଲୁଟ ମାମଲା ରୁଜୁ କରାଗଲା । ସେତେବେଳେ ଲରେନ୍‌ସ ଛାତ୍ର ରାଜନୀତି କରୁଥିଲା ।
ପଞ୍ଜାବ ପୁଲିସ ସୂଚନା ମୁତାବକ ଛାତ୍ର ରାଜନୀତି କରୁଥିବା ସମୟରେ ଲରେନ୍‌ସ ବିରୋଧରେ ୭ଟି ମାମଲା ରୁଜୁ ହୋଇଥିଲା । ଚାରିଟି ମାମଲାରୁ ମୁକ୍ତ ହୋଇଥିଲା । ତିନୋଟି ମାମଲା ଗଡ଼ିଚାଲିଛି । ୨୦୧୫ରେ ଲରେନ୍‌ସ ପୁଲିସ ହାତରୁ ଚମ୍ପଟ ମାରିଥିଲା ।
‘ପଦ୍ମାବତ’ ଚଳଚ୍ଚିତ୍ରରୁ ଚର୍ଚ୍ଚିତ ସୁଖଦେବଙ୍କୁ ୧୭ଟି ଗୁଳି

କରଣୀ ସେନା ମୁଖିଆ ସୁଖଦେବ ସିଂ ଗୋଗାମେଡି । ୨୦୧୮ ମସିହାର କଥା । ମୁକ୍ତିଲାଭ କଲା ଦୀପିକା ପାଦୁକୋନଙ୍କ ଚଳଚ୍ଚିତ୍ର ‘ପଦ୍ମାବତ’ । ଚଳଚ୍ଚିତ୍ରଟିର ମୁକ୍ତିଲାଭକୁ ତୀବ୍ର ବିରୋଧ କଲା କରଣୀ ସେନା । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଭୂମିକାକୁ ବିବାଦୀୟ କହିଲେ କରଣୀ ସେନା ମୁଖିଆ ସୁଖଦେବ । ଦେଶର ସଂସ୍କୃତି ହନନ କରୁଥିବା ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ଦିଆଯିବନି କହି ସୁଖଦେବ ରାସ୍ତାକୁ ଓହ୍ଲାଇଲେ । ଚଳଚ୍ଚିତ୍ରଟିରେ ରାଜପୁତଙ୍କ ଭୂମିକାକୁ କଦର୍ଥ କରାଯାଇଥିବା ଅଭିଯୋଗ କଲେ ସୁଖଦେବ । ପଦ୍ମାବତ୍‌ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କୁ ଚାପୁଡ଼ା ମାରିଥିଲେ ସୁଖଦେବ ।
ପଦ୍ମାବତ୍‌ ମୁକ୍ତିଲାଭ ସମୟରେ ସୁଖଦେବ କରଣୀ ସେନା ମୁଖିଆ ନଥିଲେ । କିନ୍ତୁ ପଦ୍ମାବତ’କୁ ବିରୋଧ କରି ସେ ଚର୍ଚ୍ଚିତ ବ୍ୟକ୍ତି ପାଲଟିଗଲେ । ୨୦୨୧ରେ ସୁଖଦେବ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ପ୍ରତିଷ୍ଠା କଲେ । କିନ୍ତୁ ପରେ ତାଙ୍କ ସଂଗଠନଟି ମୂଳ କରଣୀ ସେନା ସହିତ ମିଶିଗଲା । ୨୦୧୯ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଗୋଟିଏ ବିକ୍ଷୋଭରେ ଯୋଗଦାନ କରି ସୁଖଦେବ ସବର୍ଣ୍ଣଙ୍କ ପାଇଁ ୧୦ ଭାଗ ସଂରକ୍ଷଣ ଦାବି କରିଥିଲେ ।

ଦିନକୁ ଦିନ ସୁଖଦେବଙ୍କ ଶତ୍ରୁ ସଂଖ୍ୟା ବୃଦ୍ଧି ପାଇଲା । ଲରେନ୍‌ସ ବିଷ୍ଣୋୟୀ ତାଙ୍କୁ ମାରିବାକୁ ଧମକ ଦେଉଥିଲା । ସୁଖଦେବ ସେ ସଂପର୍କରେ ପୁଲିସକୁ ସୂଚନା ଦେଇଥିଲେ । ଲରେନ୍‌ସ ଜେଲରେ ଥିବାରୁ ସୁଖଦେବ ହତ୍ୟା ଧମକକୁ ସେତେ ଗୁରୁତ୍ୱ ଦେଇ ନଥିଲେ ।

ମଙ୍ଗଳବାର ଦିନ ଗୋଟାଏ ହେବ । ସୁଖଦେବଙ୍କ ପୂର୍ବ ପରିଚିତ ନବୀନ ଶେଖାୱତ ସାଙ୍ଗରେ ଦୁଇଜଣ ଯୁବକଙ୍କୁ ଧରି ସୁଖଦେବଙ୍କ ଘରେ ପହଂଚିଲେ । ଦୁଇ ଯୁବକ ସୁଖଦେବଙ୍କୁ ଭେଟିବାକୁ ଚାହୁଁଥିଲେ କହି ସୋଫାରେ ବସିଲେ ନବୀନ । ଚାରିଜଣ ବସି କଥା ହେଉଥିବା ସମୟରେ ହଠାତ୍‌ ଦୁଇ ଯୁବକ ଠିଆ ହୋଇପଡ଼ିଲେ । ନବୀନ ଓ ସୁଖଦେବ କିଛି ଭାବିବା ପୂର୍ବରୁ ଦୁଇ ଯୁବକ ପକେଟରୁ ପିସ୍ତଲ କାଢ଼ି ଗୁଳି ମାରିବା ଆରମ୍ଭ କରିଦେଲେ । ହାଁ ହାଁ କହି ନବୀନ ସେମାନଙ୍କୁ ଅଟକାଇବାକୁ ଯାଇ ଗୁଳିମାଡ଼ ଖାଇଛନ୍ତି । ସୁଖଦେବଙ୍କ ଉପରକୁ ପ୍ରାୟ ୧୭ ରାଉଣ୍ଡ ଗୁଳି କରାଯାଇଛି । ଦୁଇ ଅଭିଯୁକ୍ତ ଫେରାର ହୋଇଗଲେ ।
ପରିବାର ଲୋକେ ନବୀନ ଓ ସୁଖଦେବଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲେ । ହେଲେ ସେତେବେଳକୁ ଡେରି ହୋଇଯାଇଥିଲା । ସୁଖଦେବ ଜୀବିତ ନଥିଲେ ।