ଭୋକିଲା ଶିଶୁକୁ ସ୍ତନପାନ କରାଇଲେ ମହିଳା ପୁଲିସ

ସତରେ ମା’ ଶବ୍ଦଟି ଏତେ ଉଦାର । ବାପା ଜେଲରେ, ମା’ ଆଇସିୟୁରେ, ଭୋକିଲା ଛୁଆଟି ଥାନାରେ ରାହା ପକାଇ କାନ୍ଦୁଥିଲା । ପିଲାଟିର କାନ୍ଦକୁ ସହି ପାରିଲେନି ଜଣେ ମହିଳା ପୁଲିସ । କୋଳକୁ ଟେକିନେଲେ, ଥାନାର ଗୋଟିଏ କୋଣକୁ ଚାଲିଯାଇ ଆପଣା ସ୍ତନ ଧରାଇଦେଲେ ଶିଶୁଟିର  ପାଟିରେ । ଥାନାର ଅନ୍ୟ ପୁଲିସ କର୍ମଚାରୀ ତାହା ଦେଖି ନିରବ ରହିପାରିଲେନି । ମୋବାଇଲରେ ଫଟୋ ଉଠାଇ ସୋସିଆଲ ମିଡିଆରେ ପ୍ରସାରଣ କରିବାକୁ ପଛାଇଲେନି ।

କେରଳରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀଙ୍କ ମାନବିକତା ଓ ସମ୍ବେଦନଶୀଳତା ଏବେ ଚର୍ଚ୍ଚାର ବିଷୟ । ଜଣେ ବେମାର ମହିଳାଙ୍କର ଚାରିମାସର ଭୋକିଲା ଶିଶୁକୁ ଆପଣା ସ୍ତନପାନ କରାଇବା ସହଜ ନଥିଲା ।

ସୂଚନା ମୁତାବକ, ବିହାର ରାଜଧାନୀ ପାଟନାର ଗୋଟିଏ ପରିବାର ଦୀର୍ଘଦିନ ଧରି କେରଳରେ ରହୁଛନ୍ତି । ସଂପୃକ୍ତ ପରିବାର ମୁଖିଆ ଏକ ଅପରାଧ ମାମଲାରେ ଅଭିଯୁକ୍ତ ହୋଇ ଜେଲରେ ଅଛନ୍ତି । ବେମାର ମହିଳା ଓ ତାଙ୍କର ଚାରିଟି ପିଲାଙ୍କ ଦେଖାଶୁଣା କରିବା ପାଇଁ କେହି ନଥିଲେ । ପୁଲିସ ଚାରିଜଣ ପିଲାଙ୍କୁ ମହିଳା ଥାନାକୁ ନିଆଗଲା । ବେମାର କାରଣରୁ ପିଲାଙ୍କ ମା’ ଏର୍ନାକୁଲମ ସରକାରୀ ହସ୍ପିଟାଲରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ।