ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଂ: ଶ୍ରେଷ୍ଠ ୩୦୦ରେ ଭାରତରୁ ଶୂନ

ନୂଆଦିଲ୍ଲୀ: ଟିଏଚ୍‌ଇ(ଟାଇମ୍ସ ହାୟର ଏଜୁକେସନ) ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଂ ୨୦୨୧ରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ବିଶ୍ୱର ଶ୍ରେଷ୍ଠ ୩୦୦ ବିଶ୍ବବିଦ୍ୟାଳୟ ତାଲିକାରେ ଭାରତରୁ ଗୋଟିଏ ବି ନାହିଁ। ଅନ୍ୟପଟେ ତାଲିକାର ଶ୍ରେଷ୍ଠ ୨୦ରେ ଏକମାତ୍ର ଏସୀୟ ବିଶ୍ୱବିଦ୍ୟାଳୟ ଭାବେ ଚୀନର ସିଙ୍ଘୁଆ ୟୁନିଭର୍ସିଟି ସାମିଲ ହୋଇଛି।

ଚଳିତ ବର୍ଷ ଭାରତର ୬୩ଟି ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଂରେ ସାମିଲ୍ ହେବାପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ହେଲେ ଟପ୍ ୩୦୦ ଭିତରେ ଗୋଟିଏ ବି ସ୍ଥାନ ନପାଇବା ଭାରତର ଶିକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଶିକ୍ଷାକୁ ପଛରେ ଛାଡ଼ି ବିଶ୍ୱଗୁରୁ ହେବାର ଆଶା ଭାରତ କେବେ ପୂରଣ କରିପାରିବ ନାହିଁ। ଇତିମଧ୍ୟରେ ଶ୍ରେଷ୍ଠ ୨୦ରେ ଚୀନ୍‌ର ସିଙ୍ଘୁଆ ୟୁନିଭର୍ସିଟି ସାମିଲ ହେବା ସ୍ପଷ୍ଟ ପ୍ରମାଣିତ କରୁଛି ଭାରତ ଚୀନ୍ ଠାରୁ ଶିକ୍ଷା କ୍ଷେତ୍ରରେ ବହୁ ପଛରେ ରହିଛି।

ତାଲିକାର ଶ୍ରେଷ୍ଠ ୨୦୦ରେ ଆମେରିକାର ସର୍ବାଧିକ ୫୯ଟି ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ବ୍ରିଟେନ୍‌ର ୨୯ ଓ ଜର୍ମାନୀର ୨୧ଟି ସାମିଲ ହୋଇଛି । ଟିଏଚ୍‌ଇ ଏ ବର୍ଷ ୯୩ ରାଷ୍ଟ୍ରରୁ ୧,୫୨୭ ଉଚ୍ଚ ଶିକ୍ଷାନୁଷ୍ଠାନର କାର୍ଯ୍ୟଧାରାକୁ ମୂଲ୍ୟାୟନ କରିଥିଲା । ଶିକ୍ଷା ପଦ୍ଧତି, ଗବେଷଣା, ଜ୍ଞାନ ଆଦାନପ୍ରଦାନ ଏବଂ ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ମାନଦଣ୍ଡକୁ ଆଧାର କରି ଏହି ମୂଲ୍ୟାୟନ ହୋଇଥିଲା ।

ତାଲିକାର ପ୍ରଥମ ର‌୍ୟାଙ୍କ୍‌ରେ ୟୁନିଭର୍ସିଟି ଅଫ୍‌ ଅକ୍ସଫୋର୍ଡ ରହିଥିବା ବେଳେ ଦ୍ୱିତୀୟରେ ଷ୍ଟାନଫୋର୍ଡ ୟୁନିଭର୍ସିଟି ରହିଛି । ସେହିପରି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସ୍ଥାନରେ ଯଥାକ୍ରମେ ହାର୍ଭାର୍ଡ ୟୁନିଭର୍ସିଟି, କାଲିଫର୍ଣ୍ଣିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଓ ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ରହିଛି । ଶ୍ରେଷ୍ଠ ୧୦ରେ ୟୁନିଭର୍ସିଟି ଅଫ୍‌ କାମ୍ବ୍ରିଜ୍‌ (୬), ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ (୭), ୟାଲେ ୟୁନିଭର୍ସିଟି (୮), ପିନ୍ସଟନ୍‌ ୟୁନିଭର୍ସିଟି (୯) ଏବଂ ୟୁନିଭର୍ସିଟି ଅଫ୍‌ ସିକାଗୋ (୧୦) ରହିଛନ୍ତି ।

ତେବେ ତାଲିକାର ଶ୍ରେଷ୍ଠ ୩୫୦ ଓ ଶ୍ରେଷ୍ଠ ୪୦୦ ମଧ୍ୟରେ ଭାରତରୁ ଯଥାକ୍ରମେ ଆଇଆଇଏସସି ବେଙ୍ଗାଲୁରୁ ଓ ଆଇଆଇଟି ରୋପାର ସ୍ଥାନ ପାଇଛନ୍ତି।