ଏହି କାରଣରୁ ପିଏସଏଲକୁ ବାଏ ବାଏ କଲେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଟଙ୍କା ଦେଇ ନ ପାରିବାରୁ ଅଷ୍ଟ୍ରେଲିଆ ଖେଳାଳି ଜେମ୍ସ ଫକନର ପିଏସଏଲ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ପିଏସଏଲକୁ ଅଧାରେ ଛାଡି ସ୍ୱଦେଶ ଫେରିବାକୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜେମ୍ସ ଫକନର । ଏନେଇ ଟ୍ୱିଟରରେ ପିଏସଏଲ ଛାଡିବା ନେଇ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, ମୁଁ ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କୁ କ୍ଷମା ମାଗୁଛି । ମୋତେ ପିଏସଏଲ ଅଧାରୁ ଛାଡିବାକୁ ପଡୁଛି । ପିସିବି ଦ୍ୱାରା ଫି ନମିଳିବା କାରଣରୁ ଏହି ନିଷ୍ପତ୍ତି ନେବାକୁ ମୁଁ ବାଧ୍ୟ ହେଉଛି ।

ସେହିପରି ସେ ଲେଖିଛନ୍ତି ଯେ, ମୁଁ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରାଇ ଆଣିବାରେ ସାହାଯ୍ୟ କରିବାକୁ ଚାହୁଁଥିଲି । ଏଠାରେ ବହୁତ ଯୁବ ପ୍ରତିଭା ଅଛନ୍ତି । ମାତ୍ର ଏଠାରେ ମୋତେ ଯେଉଁ ବ୍ୟବହାର ମିଳିଲା ତାହା ପିସିବି ଏବଂ ପିଏସଏଲ ପକ୍ଷରୁ ଏକ ଅପମାନ । ଆଶା କରୁଛି ଆପଣମାନେ ସବୁ ବୁଝି ପାରିବେ । ସେହିପରି ପିସିବି ଏହି ମାମଲାରେ ସଫେଇ ଦେଇ କହିଛି ପିସିବି ଏବଂ କ୍ୱେଟା ଗ୍ଲାଡିଏଟର୍ସ ଜେମ୍ସ ଫକରନଙ୍କ ମିଥ୍ୟା ଏବଂ ଭ୍ରମାତ୍ମକ ଅଭିଯୋଗ ଉପରେ ଦୁଃଖ ପ୍ରକାଶ କରିଛି । ଖୁବଶୀଘ୍ର ଏହି ମାମଲାରେ ଏକ ବିସ୍ତୃତ ବୟାନ ଜାରି କରାଯିବ ।