ନଖ କାମୁଡ଼ିବା ଛଡ଼ା କ’ଣ କରିବେ ଉଦ୍ଧବ

ଉତରାଧିକାରୀ ସୂତ୍ରରେ ଶିବସେନା ଦଳର ମୁଖିଆ ….

ମୁମ୍ବାଇ: ଉତରାଧିକାରୀ ସୂତ୍ରରେ ଶିବସେନା ଦଳର ମୁଖିଆ ପଦବୀଟି ଉଦ୍ଧବ ଠାକରେଙ୍କୁ ମିଳିଥିଲା; ସିନ୍ଦୋ ଗୋଠ ତାକୁ ଛଡ଼ାଇ ନେଇଯିବା ପରେ ବାପ-ପୁଅ ଠାକରେଙ୍କ ପାଖରେ ଆଉ କିଛି କାମ ନାହିଁ । ସଂଜୟ ରାଉତ ତୁଚ୍ଛାଟାରେ ତୁମ୍ବିତୋଫାନ କରୁଛନ୍ତି । ଶିବସେନା ଟିକେଟରୁ ବିଜୟ ହାସଲ କରିଥିବା ବିଧାୟକଙ୍କ ଭିତରୁ ଅଧିକ ସଂଖ୍ୟକ ସିନ୍ଦେଙ୍କ ଗୋଠରେ ରହିଛନ୍ତି । ଉଦ୍ଧବଙ୍କ ପାଖରେ ହାତଗଣତି ବିଧାୟକ ଅଛନ୍ତି; ପରିଣାମ ସ୍ୱରୂପ ଶିବସେନା ଓ ତା’ର ଚିହ୍ନଟି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହାତକୁ ଚାଲିଗଲା ।
ଉତରାଧିକାରୀ ସୂତ୍ରରେ ଦଳର ମୁଖିଆ ହୋଇଥିବାରୁ ଉଦ୍ଧବ ଓ ତାଙ୍କ ପୁଅ ଆଦିତ୍ୟଙ୍କର ମୁହଁ ଫୁଟାଣି ବଢ଼ିଯାଇଥିଲା । ବିଧାୟକଙ୍କ କଥାକୁ ପଛକୁ ପକାଇ ଉଦ୍ଧବ ସର୍ବଦା ପୁଅର ପ୍ରତିଟି ପ୍ରସ୍ତାବକୁ ଉଚିତ ମଣିବସିଲେ । ବିଧାୟକଙ୍କ ପୁଂଜିଭୂତ ଅସନ୍ତୋଷ ଉଗ୍ରରୂପ ନେଇ ଉଦ୍ଧବକୁ ଚାରିଦଉଡ଼ିରୁ କାଟିଦେଲା । ଏବେ ଉଦ୍ଧବଙ୍କ ପାଖରେ ନା ରହିଲା ଶିବସେନା; ନା ରହିଲା ଶାସନ କ୍ଷମତା ।

ବିନା ପାଣିରେ ଛଟପଟ ହେଉଛନ୍ତି ଉଦ୍ଧବ-ଆଦିତ୍ୟ । ବାଲ ଠାକରେଙ୍କ ପୁଅ ହେଲେ କ’ଣ ହେବ; ଉଦ୍ଧବଙ୍କ ନେତୃତ୍ୱରେ ସେଭଳି କିଛି ଦମ୍‌ ଥିଲା ଭଳି ଜଣାପଡୁ ନଥିଲା । ବାଲ ଠାକ୍‌ରେଙ୍କ ଗୋଟି ଚଲାଇବା ବୁଦ୍ଧି ଉଦ୍ଧବଙ୍କ ପାଖରେ ନାହିଁ । ଉଦ୍ଧବଙ୍କର ମୁଖ୍ୟମନ୍ତ୍ରୀ ହେବା ନିଶାଟି ପୂରଣ ହେଲା ସିନା, ହେଲେ ଚାଲିଗଲା ବାଲ ଠାକରେଙ୍କ ମାନସପୁତ୍ର ଶିବସେନା ।