ଧର୍ମେନ୍ଦ୍ରଙ୍କ ପାଇଁ ମୁଣ୍ଡ ପୋତିବେ ପ୍ରଧାନମନ୍ତ୍ରୀ

ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡ଼ିଛନ୍ତି ଧର୍ମେନ୍ଦ୍ର ….

ଭୁବନେଶ୍ୱର: ଓଡ଼ିଶାରୁ ନିର୍ବାଚନ ଲଢ଼ିବାକୁ ଅଂଟା ଭିଡ଼ିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏ ଖବରଟି ରାଜ୍ୟ ବିଜେପି ପାଇଁ ଖୁସିର ବିଷୟ ହୋଇପାରେ । ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ମୁଣ୍ଡ ପୋତିବାର ବେଳ ପାଖେଇ ଆସୁଛି । ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସାଇବାର ଜିଦକୁ ଜାବୁଡ଼ି ଧରି ବସିଛନ୍ତି ମୋଦୀ । ଏ ପ୍ରଜାର ଜିଦକୁ ମନରୁ ନ କାଢ଼ିବା ପର୍ଯ୍ୟନ୍ତ ଓଡ଼ିଶାରେ ବିଜେପି କ୍ଷମତା ଦଖଲ କରିପାରିବନି ।

୨୦୦୯ରୁ ଓଡ଼ିଶାରେ ବିଜେପିର ଲୋକପ୍ରିୟତା କମିବାକୁ ଲାଗିଛି । ୨୦୧୪ ଓ ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ମୋଦୀ କୁହୁକ କାଟୁ କଲାନି । ୨୦୨୪ ନିର୍ବାଚନରେ ସେଭଳି କିଛି କୁହୁକ ଘଟିବାର ଆଶା ଦିଶୁନି । ରାଜ୍ୟ ବିଜେପିରେ ଆଉ ଏକତା ନାହିଁ । ପଦ୍ମପୁର ନିର୍ବାଚନରେ ସବୁ ଗୋଠ ଏକାଠି ହେବାର ଅଭିନୟ କରିବା କଥାଟି ପଦାରେ ପଡ଼ିଗଲା ।

୨୦୨୪ ନିର୍ବାଚନରେ ମଧ୍ୟ ବିଜେପି ଏକତାର ନାଟକ କରିବା ସୁନିଶ୍ଚିତ । କୁହାଯାଉଛି, ଧର୍ମେନ୍ଦ୍ର ଯୋଉ ଆସନରୁ ନିର୍ବାଚନ ଲଢ଼ିବେ, ସେହି ଆସନରେ ଜଣେ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବାକୁ ବିଜେଡି ମୁଖିଆଙ୍କୁ ପ୍ରସ୍ତାବ ଦିଆଯାଇଛି । ବିଜେପିର ପ୍ରସ୍ତାବଟିକୁ ଝୁଲାଇ ରଖିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ରାଜନୀତି ବିଶାରଦମାନେ କହୁଛନ୍ତି, ନବୀନ ଦୁର୍ବଳ ପ୍ରାର୍ଥୀଟିଏ ଠିଆ କଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ଜିତିବା ଆଶା ଶୂନ ।