କେତୋଟି ଗୋପାଳ ପୁଲିସ ଚାକିରି କରି ପାଗଳ

ରାଜ୍ୟ ପୁଲିସ ପ୍ରଶାସନରେ ଗୋପାଳ ଦାସଙ୍କ ଭଳି ….

ଭୁବନେଶ୍ୱର: ରାଜ୍ୟ ପୁଲିସ ପ୍ରଶାସନରେ ଗୋପାଳ ଦାସଙ୍କ ଭଳି କେତେ ପାଗଳଙ୍କୁ ନିଯୁକ୍ତ କରାଯାଇଛି, ଆଜି ଏ ପ୍ରଶ୍ନ ପଚାରିଛି ଆମ ଜନତା ଦଳ । ପୂର୍ବତନ ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ସାଙ୍ଗରେ ଧରି କ୍ରାଇମ୍‌ ବ୍ରାଂଚ୍‌ ବହୁତ ନାଟକ କଲା । ନାର୍କୋ ଟେଷ୍ଟ ଓ ପଲିଗ୍ରାଫ୍‌ ଟେଷ୍ଟ କଲା । କୌଣସି ରିପୋର୍ଟରେ ଗୋପାଳ ଦାସର ମାନସିକ ସ୍ଥିତି ସୁସ୍ଥ ବୋଲି ସ୍ପଷ୍ଟ ହେଲାନି । କ୍ରାଇମ୍‌ ବ୍ରାଂଚ୍‌ ରିପୋର୍ଟକୁ ଅଧ୍ୟୟନ କରିବା ପରେ କୋର୍ଟଙ୍କର ହୃଦବୋଧ ହୋଇଛି । ଆମେ ପ୍ରଥମରୁ କହୁଛୁ, କ୍ରାଇମ୍‌ ବ୍ରାଂଚ୍‌ ସାଧାରଣ ଲୋକଙ୍କୁ ଭୂଅାଁ ବୁଲାଇପାରେ । ମାତ୍ର କୋର୍ଟଙ୍କୁ ଭୂଅାଁ ବୁଲାଇ ପାରିବନି । ନବଦାସଙ୍କ ହତ୍ୟା ଘଟଣାର ପ୍ରକୃତ ତଥ୍ୟ ଝାରସୁଗୁଡ଼ା କୋର୍ଟର କିଛି ଆଇନଜୀବୀ ଜାଣି ସାରିଛନ୍ତି । ନବଦାସଙ୍କ ଚିଠିରେ ପ୍ରକୃତ ହତ୍ୟାକାରୀର ନାମ ରହିଛି । କ୍ରାଇମ୍‌ ବ୍ରାଂଚ୍‌ ତଦନ୍ତ ଆଳରେ ଝାରସୁଗୁଡ଼ା ବିମାନଘାଟି ଥାନାର ପାଇଖାନା ଟାଙ୍କିଠାରୁ ଆରମ୍ଭ କରି ଗୁଜରାଟର ଲାବ୍‌ ପର୍ଯ୍ୟନ୍ତ ବୁଲିଲା । ହେଲେ କୌଣସି ଠାରେ ଗୋପାଳ ଦାସଙ୍କର ଦୋଷ ସଂପର୍କୀତ ତଥ୍ୟ ପାଇପାରିଲାନି; ଗୋପାଳ ଦାସଙ୍କୁ ଅପରାଧୀ ରୂପେ ପ୍ରମାଣିତ କରିବାକୁ ଯାଇ କ୍ରାଇମ୍‌ ବ୍ରାଂଚ୍‌ ନିଜକୁ ଦୋଷୀ ଭାବେ ଉପସ୍ଥାପନ କଲାଣି ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଗୋପାଳର ମାନସିକ ସ୍ଥିତି ଠିକ୍‌ ନଥିବା ଜାଣି ପୁଲିସ ବିଭାଗ ତାକୁ ରିଭଲଭର ଓ ଗୁଳି ଦେଲା କିପରି? ରାଜ୍ୟ ପୁଲିସ ବିଭାଗରେ କେତେଜଣ ମାନସିକ ଅସ୍ଥିରମନା ଲୋକଙ୍କୁ ନିଯୁକ୍ତ କରାଯାଇଛି ଓ ସେମାନଙ୍କ ହାତକୁ ରିଭଲଭର ଓ ଗୁଳି ବଢ଼ାଇ ଦିଆଯାଇଛି ସାଧାରଣ ଲୋକଙ୍କୁ ମାରିବା ପାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଚାଲିଥିବା ଯାବତୀୟ ବିଶ୍ୱଶ୍ରେଣୀର ଐତିହାସିକ କାମ ଭିତରୁ ପାଗଳ ଲୋକଙ୍କୁ ପୁଲିସ କର୍ମଚାରୀ ଭାବେ ନିଯୁକ୍ତ କରାଯିବା ପଦକ୍ଷେପ ଅନ୍ୟତମ ନୁହେଁ ତ?