କରୋନାର ନୂତନ ଭାରିଏଣ୍ଟ ଲାଗି ମହିଳା କ୍ରିକେଟ୍‌ ବିଶ୍ୱକପ୍‌ କ୍ୱାଲିଫାୟର ସ୍ଥଗିତ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଏଣ୍ଟକୁ ନେଇ ଚିନ୍ତା ବଢିଛି । ଏହି ନୂଆ ଭାରିଏଣ୍ଟ ବ୍ୟାପିବା ଆଶଙ୍କାରେ ଅନେକ ଦେଶ ସତର୍କତା ପଦକ୍ଷେପ ଯୋଜନା କରୁଛନ୍ତି । ଏନେଇ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ବିମାନ ଉଡାଣ ସ୍ଥଗିତ କଲେଣି । ଏଭଳି ସ୍ଥିତିରେ ଏହାର ପ୍ରଭାବ କ୍ରିକେଟ ଉପରେ ପଡିଛି । ନୂଆ ଭାରିଏଣ୍ଟ ଓମିକ୍ରନର ପ୍ରକୋପକୁ ଆଖି ଆଗରେ ରଖି ଆଇସିସି ପଡୋଶୀ ଦେଶ ଜିମ୍ୱାୱରେ ଚାଲିଥିବା ମହିଳା କ୍ରିକେଟ୍‌ ବିଶ୍ୱ କପ୍‌ର କ୍ୱାଲିଫାୟର ବନ୍ଦ କରିଛି । ଏନେଇ ଆଇସିସି ସୂଚନା ଦେଇଛି । କ୍ୱାଲିଫାୟରରେ ବାଂଲାଦେଶ, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଆଇସିସି ରାଙ୍କିଙ୍ଗରେ ଶୀର୍ଷ ଦଳ ହୋଇଥିବାରୁ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅନ୍ୟପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳର ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ କରୋନାର ଏହି ନୂଆ ଭାରିଏଣ୍ଟ ଲାଗି ଭାରତୀୟ ଦଳର ଗସ୍ତ ଉପରେ ଆଶଙ୍କା ଦେଖାଦେଇଛି । ଏ ନେଇ ବିସିସିଆଇ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବ ବୋଲି ଜଣାପଡିଛି ।