ଗିନିଜ୍‌ ବୁକ୍‌ରେ ବିଶ୍ୱର ସବୁଠାରୁ ଛୋଟ ଚାମଚ

ସେ କାଠରେ ତିଆରି କରିଛନ୍ତି ସବୁଠାରୁ ଛୋଟ ଚାମଚ…..

ନୂଆଦିଲ୍ଲୀ: ଘରେଘରେ ବିଭିନ୍ନ ଆକାରର ଚାମଚ ଦେଖିବାକୁ ମିଳିଥାଏ । ମାତ୍ର ଗିନିଜ୍‌ ବୁକରେ ସ୍ଥାନ ପାଇଥିବା ଚାମଚ ଆକାର ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଚାମଚ ତିଆରି କରିଥିବା ଶିଳ୍ପୀ ନବରତ୍ନ ପ୍ରଜାପତି ମୂର୍ତିକାରଙ୍କ ନାମଟି ମଧ୍ୟ ଗିନିଜ୍‌ ବୁକ୍‌ରେ ଲିପିବଦ୍ଧ ହୋଇଛି । ସାଧାରଣ ଚାଉଳ ତୁଳନାରେ ଆହୁରି ଛୋଟ ଚାମଚକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ମୂର୍ତିକାରଙ୍କ ଘର ରାଜସ୍ଥାନର ଜୟପୁରରେ । ସେ କାଠରେ ତିଆରି କରିଛନ୍ତି ସବୁଠାରୁ ଛୋଟ ଚାମଚ । ଚାମଚଟିର ଆକାର ୨ ମିଲିମିଟର (୦.୭ ଇଂଚ) । ତାଙ୍କ ପୂର୍ବରୁ ତେଲେଙ୍ଗାନାର ଗୌରୀଶଙ୍କର କାଠରେ ୪.୫ ମିଲିମିଟର ଆକାରର ଚାମଚ ତିଆରି କରିଥିଲେ ।

ନବରତ୍ନ ପ୍ରଜାପତି କହନ୍ତି, ସେ ୨୦୦୬ରୁ ମାର୍ବଲରେ ପ୍ରତିମା ଗଢ଼ି ଆସୁଛନ୍ତି । ମାର୍ବଲକୁ ବାଦ ଦେଲେ ବ୍ରୋଞ୍ଜ, ମାଟି ଓ ଫାଇବରରେ ପ୍ରତିମା ନିର୍ମାଣ କରନ୍ତି । ତାଙ୍କ ବଡ଼ଭାଇ ମୋହନ ତାଙ୍କ ସହିତ ମିଶି କାମ କରୁଥିଲେ । ଥରେ ସେ ଇଂଟରନେଟ୍‌ରେ ଚାଉଳ ଦାନା ଉପରେ ନାମ ଲେଖାଯିବାର କୌଶଳକୁ ନିରିକ୍ଷଣ କଲେ । ସେଇଠାରୁ ତାଙ୍କ ମନରେ କ୍ଷୁଦ୍ରାତିକ୍ଷୁଦ୍ର (ମିନିଏଚର) ପ୍ରତିମା ତିଆରି କରିବାର ଆଗ୍ରହ ଜାତ ହେଲା ।

ଏହି ଆର୍ଟ (ମିନିଏଚର)ରେ ଜୀବିତ ଅବା ଜଡ଼ ବସ୍ତୁର ଅବିକଳ ଛୋଟ ନକଲକୁ ଗୁରୁତ୍ୱ ଦିଆଯାଇଥାଏ । କୌତୁହଳର ବିଷୟ, କୌଣସି ବୈଷୟିକ ପ୍ରତିଷ୍ଠାନରୁ ଔପଚାରିକ ଭାବେ ତାଲିମ ନପାଇ ୟୁଟୁବ ଭିଡିଓକୁ ଦେଖିଦେଖି ନବରତ୍ନ ଏହି କଳା ହାସଲ କରିଛନ୍ତି ।
ପୂର୍ବରୁ ନବରତ୍ନ ପେନ୍‌ସିଲ ମୂନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମହାତ୍ମା ଗାନ୍ଧୀ, ପ୍ରଭୁ ଶ୍ରୀଗଣେଶଙ୍କର ପ୍ରତିମା ତିଆରି କରିଛନ୍ତି । ନବରତ୍ନ ଦୁନିଆର ସବୁଠାରୁ ବଡ଼ ପ୍ରତିମା ଗୁଜରାଟର କେଓଡିଆସ୍ଥିତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ରେ ହାତ ଚଲାଉଥିଲା ବେଳେ ସର୍ଦ୍ଦାର ପଟେଲଙ୍କର ଛୋଟ ପ୍ରତିମା ତିଆରି କରିଥିଲେ ।