୯ ମାସ ପରେ ମୁକୁଳିଲେ ୟୁଟୁବର ମନିଷ

ନୂଆଦିଲ୍ଲୀ: ପ୍ରାୟ ୯ ମାସ କାଳ ଜେଲରେ ରହିବା ପରେ ଶନିବାର ମୁକୁଳିଛନ୍ତି ୟୁଟୁବର ମନିଷ କାଶ୍ୟପ । ଜେଲ ନିକଟରେ ତାଙ୍କୁ ସଙ୍ଖୋଳିବା ପାଇଁ ରୁଣ୍ଡ ହୋଇଥିଲେ ଶତାଧିକ ଯୁବକ, ମହିଳା, ପୁରୁଖା । ମନିଷ ଜେଲରୁ ବାହାରିବା ମାତ୍ରକେ କିଛି ମହିଳା ଆରତୀ ଥାଳି ଧରି ତାଙ୍କୁ ବନ୍ଦାପନା କରିଥିଲେ । ଜଣେ ମହିଳା କହିଛନ୍ତି, ମୁଁ ମନିଷଙ୍କ ହାତରେ ରାଖି ବାନ୍ଧିବା ପାଇଁ ଓ ତିଳକ ଲଗାଇବା ପାଇଁ ଆସିଛି । ସାଙ୍ଗରେ ଗଣେଶଙ୍କ ପ୍ରତିମାକୁ ଆଣିଛି । ପ୍ରଭୁ ଗଣେଶଙ୍କ ସାମ୍ନାରେ ମନିଷଙ୍କ ହାତରେ ରାଖି ବାନ୍ଧିବି ।

ପାଟନାର ବେଉର ଜେଲରୁ ବାହାରିବା ମାତ୍ରେ ମନିଷ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ମନିଷ କହିଛନ୍ତି ଯେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିଲା । ଭଗବାନ ଶ୍ରୀକୃଷ୍ଣ ଜେଲରେ ଜନ୍ମ ଗ୍ରହଣ କରିଥିଲେ । ବିହାରରେ ବହୁତ କଂସ ଅଛନ୍ତି । ସମସ୍ତେ ମିଶି ମୋତେ ଜେଲକୁ ପଠାଇଦେଲେ । ମୋତେ କୋର୍ଟ ଦଣ୍ଡ ଦେଇନାହିଁ ବରଂ ନେତାମାନେ ଦେଇଛନ୍ତି । ମୋ ଉପରେ ଏନଏସଏ ଲଗାଇ ଦିଆଗଲା । ମାତ୍ର କୋର୍ଟ ମୋ ଉପରୁ ଏନଏସଏ ହଟାଇ ଦେଇଛନ୍ତି । ମନିଷ ରାଜନୀତି ବଦଳରେ ସାମ୍ବାଦିକତା କରିବାକୁ ଚାହିଁଛନ୍ତି ।

ଏଠାରେ ଜଣାଇ ଦେଉଛୁ, ୨୦୨୩ ମାର୍ଚ୍ଚ ୧୨ ତାରିଖରେ ହାତକଡ଼ା ପିନ୍ଧିଥିବା ଅବସ୍ଥାରେ ଜଣେ ବ୍ୟକ୍ତି ଟ୍ରେନରେ ଯାତ୍ରା କରୁଥିବାର ଦେଖି ମନିଷ ତା’ର ଏକ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ଅପଲୋଡ୍‌ କରିଥିଲେ । ସଂପୃକ୍ତ ଘଟଣାରେ ମନିଷଙ୍କୁ ଅଭିଯୁକ୍ତ କରି ପୁଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଦେଲା ।