ମଦୁଆଙ୍କୁ କାବୁ ପାଇଁ ଯାଇ ମାଡ ଖାଇଲେ ମାମୁଁ ,ଭାଇରଲ ହେଲା ଭିଡିଓ

ଅନୁଗୁଳ(ଏସ୍ ନ୍ୟୁଜ): ଅନୁଗୁଳ ଜିଲ୍ଲା ବନ୍ତଳା ଥାନାର ଜଣେ ଏଏସଆଇ ସାଦା ପୋଷାକରେ ମଦୁଆଙ୍କୁ କାବୁ କରିବାକୁ ଯାଇଥିବା ବେଳେ ମାଡ ଖାଇଛନ୍ତି । ଦୁଇ ମଦୁଆଙ୍କ ଠାରୁ ମାଡ଼ ଖାଇଥିବା ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବନ୍ତଳା ଛକରେ ବଲଙ୍ଗ ଗ୍ରାମର ଅଲୋକ ସାହୁ ଓ ମହେଶ କୁମାର ସ୍ବାଇଁ ନାମକ ଦୁଇ ଯୁବକ ମଦ୍ୟପାନ କରି ବନ୍ତଳା ଛକରେ କିଛି ସମୟ ଉତ୍ପାତ କରୁଥିଲେ । ଏନେଇ ସ୍ଥାନୀୟ ଲୋକମାନେ ବନ୍ତଳା ପୋଲିସକୁ ସୂଚନା ଦେଇଥିଲେ ।ଘଟଣା ସମ୍ପର୍କରେ ଖବର ପାଇ ବନ୍ତଳା ଥାନାର ଜଣେ ଏଏସଆଇ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ମିନିଟ ପୂର୍ବରୁ ବନ୍ତଳା ଛକରୁ ଦୁଇ ଦୁଇ ଯୁବକ ପୁଣି ମଦ କିଣିବାକୁ ବନ୍ତଳା ଥାନା ଠାରୁ ୧୦୦ମିଟର ଦୂରରେ ଥିବା ମଦ ଦୋକାନକୁ ଯାଇଥିବା ଜାଣି ଏଏସଆଇ ଶ୍ରୀ ସାହୁ ସେଠାରେ ଏକା ସାଦା ପୋଷାକରେ ପହଞ୍ଚିଥିଲେ ।

ଆଉ ମଦୁଆ ଦୁଇଜଣଙ୍କର ମୋଟରସାଇକେଲରୁ ଚାବି ଛଡାଇ ନେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ନିଶାଶକ୍ତ ଅବସ୍ଥାରେ ଥିବା ଦୁଇ ଯୁବକ ଏଏଏସଆଇଙ୍କୁ ମାଡ଼ ମାରିବା ସହ ଜାବୁଡି ଧରିଥିଲେ । ଯୁବକଙ୍କ କବଳରୁ ରକ୍ଷା ପାଇବାକୁ ପାଇଁ ଏଏସଆଇ ଚିତ୍କାର କରିବା ସହିତ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ଲୋକମାନେ ସମ୍ପୃକ୍ତ ଦୁଇ ଯୁବକଙ୍କ କବଳରୁ ପୋଲିସ କର୍ମଚାରୀଙ୍କୁ ମୁକୁଳାଇ ଥିଲେ । ତେବେ ଏଭଳି କାଣ୍ଡ କରିଥିବା ଦୁଇ ଯୁବକଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।