ସୁରଟ ଯାଉଥିଲେ, ବାଟରେ ମଲେ

ଭୁବନେଶ୍ୱର(ଏସ୍ ନ୍ୟୁଜ): ରାଜ୍ୟପାଇଁ ଏକ ବଡ଼ ଦୁଃଖଦ ଖବର ଆସି ପହଞ୍ଚିଛି। ଗଞ୍ଜାମରୁ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ନେଇ ସୁରଟ ଯାଉଥିବା ଏକ ବସ୍ ଛତିଶଗଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟିକୁ ଏକ ଟ୍ରକ୍ ପିଟି ଦେବାରୁ କ୍ଷତାକ୍ତ ହୋଇ ୮ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ରାଜ୍ୟବ୍ୟାପୀ ଏହାକୁ ନେଇ ଶୋକର ଛାୟା ଖେଳିଯାଇଛି।

ଛତିଶଗଡ଼ ରାଜଧାନୀ ରାୟପୁର ନିକଟବର୍ତ୍ତୀ ଛେରିଖେଡ଼ି ଠାରେ ଭୋର ୩.୩୦ରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ହସ୍ପିଟାଲରେ ଆଉ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତେବେ ବସରେ ଯାତ୍ରା କରୁଥିବା ଅନ୍ୟ ୫୯ ଯାତ୍ରୀ ସୁରକ୍ଷିତ ଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଆହତଙ୍କ ଚିକିତ୍ସା ଏବଂ ତଦନ୍ତ ବାବଦରେ ସେ ଛତିଶଗଡ଼ ଡିଜିପିଙ୍କ ସହ କଥା ହୋଇଛନ୍ତି। ଏହାସହ ମାଲକାନଗିରି ପଦମପୁର ଏସଡିପିଓଙ୍କ ନେତୃତ୍ୱରେ ଓଡ଼ିଶା ପୋଲିସର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଡିଜିପି ଅଭୟ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଏହି ସମସ୍ତ ଯାତ୍ରୀ ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା, ଆସିକା ଓ ଛତ୍ରପୁର ଅଞ୍ଚଳର ଏବଂ ସେମାନେ ଗତକାଲି ରାତି ୮ଟାରେ ଉକ୍ତ ବସ୍ ଯୋଗେ ଆସିକାରୁ ସୁରଟ ଯାତ୍ରା ଆରମ୍ଭ କରିଥିଲେ। ବସରେ ୬୦ରୁ ୭୦ ଜଣ ଯାତ୍ରୀ ଥିଲେ ଏବଂ ଦୁର୍ଘଟଣାଗ୍ରସ୍ତ ବସର ନାମ ‘ଶିବାଂଶ’ ଓ ଏହାର ନମ୍ବର ଏନଏଲ୍ ୦୩ ବି ୦୯୮୭ ବୋଲି ଜଣାପଡ଼ିଛି।

ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପ୍ରତି ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଲେଖାଏଁ ଅନୁକମ୍ପା ଦେବାକୁ ଘୋଷଣା କରିଛନ୍ତି। ରାୟପୁର ମେଡ଼ିକାଲ କଲେଜରେ ଭର୍ତ୍ତି ଆହତଙ୍କୁ ମଧ୍ୟ ସମସ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ।