ଆରଡି ଧାମରେ ଦର୍ଶନ ଦେବେ ୩୫ ଫୁଟିଆ ସଦାଶିବ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଆରଡ଼ି ଧାମରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଦେବ ଦେବ ମହାଦେବ । ଆଗାମୀ ମହା ଶିବରାତ୍ରୀ ବା ଜାଗର ଯାତ୍ରା ପୂର୍ବରୁ ଧାର୍ମିକ ରୀତିନୀତି ଭିତରେ ଉକ୍ତ ଫାଇଭର ପ୍ରତିମାକୁ ପ୍ରତିଷ୍ଠା କରାଯିବ ।

ପ୍ରତିମାର ନିର୍ମାଣ କାର୍ଯ୍ୟ ଏବେ ଚୂଡ଼ାନ୍ତ ସ୍ତରରେ ପହଂଚିଛି । କଟକ ସହରରେ ଅବସ୍ଥିତ କାଠଗଡ଼ା ସାହିର ବିଶିଷ୍ଟ ସ୍ଥପତି ଲକ୍ଷ୍ମୀଧର ମହାରଣା ଓ ତାଙ୍କର ୫୦ ଜଣିଆ ଦଳ ଗତ ୫ ମାସ ଧରି ମହାଦେବଙ୍କ ପ୍ରତିମା ନିର୍ମାଣରେ ଲାଗିଛନ୍ତି ।

ଭୋଳାବାବାଙ୍କୁ ଅଧିକ ଆକର୍ଷଣୀୟ କରିବା ପାଇଁ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି ସ୍ଥପତି ମହାରଣା ।
ପ୍ରତିମାଟିକୁ ଦୀର୍ଘଦିନ ଧରି ସୁରକ୍ଷିତ ରଖିବା ପାଇଁ ଫାଇବର ସହିତ ରେସିନ୍‌, ପିଗମେଂଟ, ମାର୍ବଲ ଧୂଳି, କୋବାଲ୍ଟ ସମେତ ଆହୁରି ବହୁ ସାମଗ୍ରୀ ବ୍ୟବହାର କରାଯାଇଛି ।

ଖରା, ବର୍ଷା, କାକର, ଘୂର୍ଣ୍ଣିବାତ୍ୟା, ସାମୁଦ୍ରିକ ଝଡ଼, ବିଜୁଳି, ଘଡ଼ଘଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାର ତାକତ୍‌ ଉକ୍ତ ପ୍ରତିମାକୁ ଦିଆଯାଇଛି ।