ଯାତ୍ରୀ ସୁରକ୍ଷିତ; ମୃତ୍ୟୁକୋଳକୁ ଚାଲିଗଲେ ବସ୍‌ ଚାଳକ

ବାଲେଶ୍ୱର: ବସ୍‌ ଚଲାଉ ଥିଲାବେଳେ ହୃଦଘାତର ଶିକାର ହେଲେ ଚାଳକ । ଯନ୍ତ୍ରଣାକୁ ଭ୍ରୁକ୍ଷେପ ନକରି ପ୍ରଥମେ ଯାତ୍ରୀଙ୍କ ଜୀବନକୁ ବିପଦମୁକ୍ତ କରିବା ପାଇଁ ବସ୍‌ଟିକୁ ସତର୍କତାର ସହିତ ରାସ୍ତାକଡ଼ରେ ଠିଆ କଲେ । ବସ୍‌ ରଖିବାର କେଇ ସେକେଣ୍ଡ ଭିତରେ ଟଳିପଡ଼ିଲେ ଚାଳକ ।

ସୂଚନା ମୁତାବକ, କୋଲକାତାରୁ ପ୍ରାୟ ୫୦ ଜଣ ପର୍ଯ୍ୟଟକଙ୍କୁ ଧରି ନୀଳଗିରିସ୍ଥିତ ପଂଚଲିଙ୍ଗେଶ୍ୱର ଅଭିମୁଖେ ବାହାରିଥିଲା ବସଟି । ମଙ୍ଗଳବାର ପ୍ରତ୍ୟୁଷରେ ବସଟି ନୀଳଗିରିର ପାଟପୁର ଛକ ଅତିକ୍ରମ କରିବା ପରେ ପରେ ଚାଳକ ଜଣକ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ।

ବସଟିକୁ ରଖି ଚାଳକ ଜଣକ ଆପଣା ସିଟ୍‌ ଉପରେ ଟଳି ପଡ଼ିଥିଲେ । ସ୍ଥାନୀୟ ଯୁବକମାନେ ତାଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ ।