ଦୁଇ ଆସନରୁ ବିଜେଡିର ବିଜୟ,କୃତଜ୍ଞତା ଜଣାଇଛଲେ ନବୀନ


ଭୁବନେଶ୍ୱର(ଏସ୍ ନ୍ୟୁଜ): ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ଔପଚାରିକ ଫଳାଫଳ ଘୋଷଣା ହୋଇଛି । ବିଜେପି ହାତରୁ ଅଳ୍ପକେ ଖସିଲା ବାଲେଶ୍ୱର। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ୧୩ ହଜାର ୩୫୧ ଭୋଟରେ ବିଜୟ ହୋଇଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ନିକଟକତମ ପ୍ରତିନ୍ଦ୍ୱନ୍ଦୀ ବିଜେପିର ମାନସ ଦତ୍ତଙ୍କୁ ହରାଇଛନ୍ତି ସ୍ୱରୂପ ଏହି ଭୋଟ ହାତେଇଛନ୍ତି।

ଏହି ବିଜୟକୁ ନେଇ ବିଧାନସଭାରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୩ ଛୁଇଁଛି ଓ ବିଜେପି ୨୩ରୁ ୨୨କୁ ଖସିଆସିଛି।ସେପଟେ ବାଲେଶ୍ୱରରେ ମାନସଙ୍କୁ ୭୦ ହଜାର ୭୪୬ (୪୩.୫୮%) ଖଣ୍ଡ ଭୋଟ ମିଳିଛି, ଯାହା ସାଧାରଣ ନିର୍ବାଚନ ତୁଳନାରେ ୩.୬୮% କମ୍। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ୭୪, ୮୧୫ (୪୭.୨୬%) ଭୋଟ ପାଇଥିଲେ ଓ ୧୩,୪୦୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।ଫଳାଫଳକୁ ଦେଖିଲେ ଏହା କହାଯାଇପାରିବ ଦିବଂଗତ ପ୍ରାର୍ଥୀଙ୍କ କ୍ଷେତ୍ରରେ ହେଉଥିବା ଉପନିର୍ବାଚନରେ ଅନୁକମ୍ପା ଭୋଟ ବିଜେଡି ସପକ୍ଷରେ ଯାଉଥିବା ବେଳେ ଏଠାରେ କିନ୍ତୁ ବିଜେପି ଏହି ସ୍ରୋତକୁ ନିଜ ଆଡକୁ ଟାଣିବାରେ ବିଫଳ ହୋଇଥିଲା।

ସେହିପରି ତିର୍ତ୍ତୋଲରେ ମଧ୍ୟ ବିଜେଡି ବିଜୟୀ ହୋଇଛି । ବିଜେଡିର ଗଡରେ ବିଜେଡି ନିଜ ସମ୍ମାନ ରକ୍ଷା କରିଛି। ଆଉ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୪୧, ୭୦୩ ଭୋଟରେ ଜିତିଛନ୍ତି । ସେପଟେ ଉଭୟ ପ୍ରାର୍ଥୀଙ୍କ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଉପନିର୍ବାଚନରେ ବିଜେଡିର ବିଜୟ ପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟ୍ବିଟ୍‌ କରି ସେ କହିଛନ୍ତି ଯେ କୋଭିଡ-୧୯ ସଙ୍କଟ ସମୟରେ ମତଦାନ କରି ଆମକୁ ଆଶୀର୍ବାଦ କରିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଲବାସୀ ବିଶେଷ କରି ମହିଳାମାନଙ୍କୁ ମୋର କୃତଜ୍ଞତା ଜଣାଉଛି। ଏ ବିଜୟ ଆପଣମାନଙ୍କର ବିଜୟ। ଆପଣମାନଙ୍କ ଭଲ ପାଇବା ଓ ଅକୁଣ୍ଠ ସମର୍ଥନର ଏହା ପ୍ରତିଫଳନ। ଆପଣମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ବିଜୁ ଜନତା ଦଳ ସର୍ବଦା ସଂକଳ୍ପବଦ୍ଧ।

ଶ୍ରୀ ପଟ୍ଟନାୟକ ବିଜୟ ହାସଲ କରିଥିବା ଉଭୟ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ହୃଦୟ ଜିଣିଥିବାରୁ ବିଜୁ ଜନତା ଦଳର ସମସ୍ତ କର୍ମୀଙ୍କୁ ସାଧୁବାଦ ଜଣାଇଛନ୍ତି।