ଅପରାଜିତା ଷଡଙ୍ଗୀଙ୍କ ଅଫିସ୍ ସିଲ୍ କଲା ବିଏମ୍‌ସି

ଭୁବନେଶ୍ବର( ଏସ୍ ନ୍ଯୁଜ): ସିଲ୍ ହେଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସ । ଏହାକୁ ୧୫ ଦିନ ପାଇଁ ବନ୍ଦ କରିବାକୁ ଭୁବନେଶ୍ୱର ମହାନଗର ନିଗମ ନୋଟିସ ଦେଇଛି।

ଜନ୍ମଦିନ ପାଳନ ବେଳେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱର କାର୍ଯ୍ୟାଳୟରେ ଆଜି ଏକ ବିଏମସିର ଟିମ୍ ପହଞ୍ଚି ତନାଘନା କରିଥିଲେ। ଏହାପରେ ୧୫ ଦିନ ପାଇଁ ଉକ୍ତ ଅଫିସ୍ ସିଲ୍ ହେଲା ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି।

ତେବେ ଅପରାଜିତା ଷଡଙ୍ଗୀ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ନିଜ ଜନ୍ମଦିନରେ କୋଭିଡ ଗାଇଡଲାଇନ୍ ଭାଙ୍ଗିଥିବା ଅଭିଯୋଗ ହୋଇଛି । ଏନେଇ ଗତକାଲି କେନ୍ଦ୍ରକୁ ଚିଠି ଲେଖିଥିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଅନ୍ୟପଟେ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ କୋଭିଡ ନିୟମ ଉଲ୍ଲଙ୍ଘନକୁ ନେଇ ଭୁବନେଶ୍ୱର ମହାନଗର ନିଗମ ୩ଟି ଦଫା ଲଗାଇଛି। ବିଏମସି ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଗତ ୮ ତାରିଖରେ ଭୁବନେଶ୍ୱର ସାଂସଦଙ୍କ ଜନ୍ମଦିନ ଉପଲକ୍ଷେ କରାଯାଇଥିବା କାର୍ଯ୍ୟକ୍ରମରେ କୋଭିଡ ନିୟମର ଉଲ୍ଲଙ୍ଘନ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା। ସେହି ଆଧାରରେ ଆଜି ବିଏମସି ପକ୍ଷରୁ ଓଡିଶା କୋଭିଡ-୧୯ ରେଜୁଲେସନ ୨୦୨୦ ଅନୁସାରେ ଦଖା ୪-ଏ, ୪-ସି ଓ ୪-ଡି ଲଗାଯାଇଛି। ଅର୍ଥାତ ମାସ୍କ ନପିନ୍ଧିବା, କଟକଣା ସତ୍ତେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଲୋକ ଏକାଠୀ ହେବା ଏବଂ ଶାରୀରିକ ଦୂରତା ଅବଲମ୍ବନକୁ ଅବହେଳା କରିବା ଅଭିଯୋଗରେ ବିଏମସି ଏୟାରପୋର୍ଟ ପୁଲିସ୍‌କୁ ତାଙ୍କ କାର୍ଯାଳୟ ୧୫ ଦିନ ପାଇଁ ସିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ଏହା ସହିତ ଏକତ୍ରିତ ହୋଇଥିବା ଲୋକମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସେମାନଙ୍କ କୋଭିଡ ଟେଷ୍ଟ କରାଯିବ ବୋଲି କୁହାଯାଇଛି। ଯଦି କେହି କରୋନା ଆକ୍ରାନ୍ତ ଚିହ୍ନଟ ହୁଅନ୍ତି ତାହେଲେ ସେମାନଙ୍କୁ ନିୟମ ଅନୁସରେ ଚିକିତ୍ସା କରାଯିବ କିମ୍ବା ହୋମ ଆଇସୋଲେସନରେ ରହିବା ପାଇଁ କୁହାଯିବ ବୋଲି ବିଏମସି ନୋଟିସରେ ଉଲ୍ଲେଖ କରାଯାଇଛି।

ସେପଟେ କିଛି କୋଭିଡ ଯୋଦ୍ଧା ଆଜି ଅପରାଜିତାଙ୍କ ନାଁରେ ଭୁବନେଶ୍ୱର ଡିସିପିଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି।