ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ, ସମୀରଙ୍କ ନାଁରେ କେବେ

ଭୁବନେଶ୍ୱର( ଏସ୍ ନ୍ଯୁଜ): ବିଧାୟକଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ । ଶେଷରେ କରୋନା ସଂକ୍ରମିତ ହୋଇ ମଧ୍ୟ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଶବଦାହ ବେଳେ ଉପସ୍ଥିତ ଥିବା ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ କରିଛି ପୁରୀ ପୁଲିସ୍‌ ।

ଗତକାଲି ପୁରୀ ସମୁଦ୍ରକୂଳ ଥାନାରେ ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଉମାଙ୍କ ବିରୋଧରେ ଏପିଡେମିକ ଆକ୍ଟରେ ମାମଲା ରୁଜୁ କରାଯାଇ ଆଇପିସି ୨୬୯ ଓ ୨୭୦ ଦଫା ଲାଗିଛି । ଜଗନ୍ନାଥ ସେନାର ଦୀର୍ଘ ଦିନର ଦାବି ପରେ ମାମଲା ରୁଜୁ କରିବାକୁ ପଚଘୁଞ୍ଚା ଦେଉଥିବା ପୁଲିସ୍‌ ପ୍ରଶାସନ ଶେଷରେ ଗତକାଲି ମାମଲା ରୁଜୁ କରିଛି।

ଏଠାରେ ପ୍ରକାଶଥାଉକି , ପୁରୀ ସ୍ୱର୍ଗଦ୍ୱାରରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କର ଶବସତ୍କାର କରାଯାଇଥିଲା। ମହାମାରୀ କରୋନା ପଜିଟିଭ୍ ଥାଇ ମଧ୍ୟ ସ୍ୱର୍ଗତ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ବିଧାୟକ ଉମା ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସ ଯୋଗ ଦେଇଥିଲେ। ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏହାକୁ ନେଇ ତୀବ୍ର ଅଭିଯୋଗ ହୋଇଥିଲା । ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ହଜାର ହଜାର ଲୋକଙ୍କ ଉପସ୍ଥିତିରେ କେମିତି ସ୍ୱର୍ଗଦ୍ୱାରକୁ ଆସିଲେ ବୋଲି ଜଗନ୍ନାଥ ସେନା ଆବାହକ ପିକୁ ପଟ୍ଟନାୟକ ପ୍ରଶ୍ନ ଉଠାଇ ଥିଲେ। ଏହି ଅଭିଯୋଗ ଆଧାରରେ ସମୁଦ୍ରକୂଳ ଥାନା ପୋଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି ।

ଅନ୍ଯପଟେ ପୂର୍ବରୁ ଜଗନ୍ନାଥ ସେନା ଆବାହକ ଏତଲା ଆଧାରରେ ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ସମୀର ଦାଶ ମିଛ ବୋଲି କହିଥିଲେ। ମନ୍ତ୍ରୀ କହିଥିଲେ ଯେ, ତାଙ୍କୁ କରୋନା ହୋଇନି, ବରଂ ସେ ଆଶିଂକ କରୋନା ସଂକ୍ରମିତ। ଏପରିକି ତାଙ୍କଠାରୁ କରୋନା ଜୀବାଣୁ କାହାକୁ ସଂକ୍ରମିତ ହୋଇନାହିଁ ମନ୍ତ୍ରୀ ଯୁକ୍ତି ବାଢିଥିଲେ।

ତେବେ ମନ୍ତ୍ରୀଙ୍କ ସଫେଇ ପରେ ବିଧାୟକ ଉମା ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ସମୀର ଦାସଙ୍କ ନାଁରେ କେବେ ମାମଲା ରୁଜୁ ହେବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ପ୍ରଶ୍ନ ଉଠିଛି ବୋଧହୁଏ ମନ୍ତ୍ରୀ ବୋଲି ଖସିଗଲେ ସମୀର ଦାସ।