ଦିବଙ୍ଗତ ବିଧାୟକଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ଅଡୁଆରେ କୁନା ତ୍ରିପାଠୀ

ଜଳେଶ୍ୱର(ଏସ ନ୍ୟୁଜ ):ସାଧାରଣ ମାନବିକତା ଭୁଲି ମର୍ଯ୍ୟାଦାର ସବୁ ସୀମା ପାର କଲା ଅଭିନେତାରୁ ରାଜନେତା ବନିଥିବା ବିଜେଡି ନେତା କୁନା ତ୍ରିପାଠୀ । ଗତ କିଛିଦିନ ହେବ ବିଜେଡି ନେତାଙ୍କ ତୁଣ୍ଡରେ ଲଗାମ ରହୁନଥିବା ବେଳେ ଦିବଙ୍ଗତ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ନାଁ ନନେଇ କିଛିଦିନ ତଳେ ଏଠାରେ ଏକ ପୋଡ଼ା ଟ୍ରାନ୍ସଫର୍ମର ବସିଥିଲା ବୋଲି କହି ବିଜେଡି ନେତା କୁନା ତ୍ରିପାଠୀ। ଏହି ଲଗାମ ଛଡା ବୟାନଙ୍କୁ ନେଇ ସେ ଏବେ ଅଡୁଆରେ ପଡିଯାଇଛନ୍ତି ।

ତେବେ ବାଲେଶ୍ଵର ସଦର ନିର୍ବାଚନମଣ୍ଡଳର ସାର୍ଥା ପଞ୍ଚାୟତର ପଞ୍ଚମୀ ପଡ଼ିଆରେ ହୋଇଥିବା ନିର୍ବାଚନୀ ସଭାରେ ଯୋଗଦେଇ କୁନା ତ୍ରିପାଠୀ କହିଛନ୍ତି, “ହୀରାକୁଦରୁ ଆସୁଛି ବିଜୁଳି ଶକ୍ତି। ଯେଉଁଥିପାଇଁ ଆମ ଘରେ ବଲ୍‌ ଜଳୁଛି ଓ ପଙ୍ଖା ଘୁରୁଛି। ଯଦି ବିଜୁଳି ଶକ୍ତି ସିଧାସଳଖ ହୀରାକୁଦରୁ ଘରକୁ ଆସିବ, ତାହାହେଲେ ଘର ପୋଡ଼ି ଧ୍ୱଂସ ହୋଇଯିବ। ତେଣୁ ବିଜୁଳି ଶକ୍ତିକୁ କଣ୍ଟ୍ରୋଲ୍‌ କରିବା ପାଇଁ ଗୋଟିଏ ଟ୍ରାନ୍ସଫର୍ମର ଦରକାର। ବିଜୁଳି ଶକ୍ତି ପରି ଘର ଓ ଅଞ୍ଚଳର ବିକାଶ ପାଇଁ ନବୀନବାବୁ ହୀରାକୁଦ ସାଜିଛନ୍ତି।

ତେବେ ନବୀନବାବୁ ପଠାଉଥିବା ଶକ୍ତିକୁ କଣ୍ଟ୍ରୋଲ କରିବା ପାଇଁ ଯଦି ଆମ ଲୋକାଲ ଟ୍ରାନ୍ସଫର୍ମର ପଡ଼ିଗଲା, ତାହା ହେଲେ କଥା ସରିଗଲା। ଏଠି କିଛିଦିନ ପାଇଁ ବସିଥିବା ଟ୍ରାନ୍ସଫର୍ମର ନିଜ କାମ କଲାନି ବୋଲି କୁଆଡେ ଏଠାକାର ଭାଇ ଓ ଭଉଣୀମାନେ କଥା ହେଉଛନ୍ତି। ଏବେ ନବୀନବାବୁ ଆଉ ଗୋଟିଏ ନୂଆ ଟ୍ରାନ୍ସଫର୍ମର ଦେଉଛନ୍ତି। ସେ ହେଉଛନ୍ତି ସ୍ୱରୁପ ଦାସ। ତାଙ୍କୁ ଭୋଟ ଦେଇ ଜିତାନ୍ତୁ।” ଆଉ ବିଜୁଳି ଶକ୍ତିକୁ କଣ୍ଟ୍ରୋଲ୍‌ ରଖନ୍ତୁ ।ଖାଲି ସେତିକି ନୁହେଁ ସଭାରେ ସେ ସର୍ବସାଧାରଣରେ ମାସ୍କ ଖୋଲି ଦେଇଥିଲେ। ଆଉ କହିଥିଲେ କରୋନା ମାଡିଯାଉ ହେଲେ ମୁ ଆଜି ମାସ୍କ କାଢ଼ିଦେବି। ମହାମାରୀ ସମୟରେ ଯାହା ଅତ୍ୟନ୍ତ ନିନ୍ଦନୀୟ ।

ସେପଟେ ଗତ କିଛିଦିନ ତଳେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ “ସୁଯୋଗ ଆଣିଦେଉଛି” ବୋଲି କହି ବିବାଦରେ ରହିଥିଲେ। ତାଙ୍କୁ ବିଜେପି ନେତାମାନେ ତୀବ୍ର ସମାଲୋଚନା କରିଥିଲେ।ଏଠାରେ ପ୍ରକାଶ ଥାଉକି, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୋଡା ଟ୍ରାନ୍ସଫର୍ମର କହିଥିଲେ।

ଅନ୍ୟପଟେ ଏହି ସଭାରେ ନିର୍ବାଚନ ପ୍ରଚାର ଆଳରେ ବିଜେଡି କର୍ମୀ ଭୁଲିଗଲେ କରୋନା କଟକଣା। ନା ପିନ୍ଧିଲେ ମାସ୍କ ନା ରଖିଲେ ସାମାଜିକ ଦୂରତା। ଖୋଲା ମଞ୍ଚରେ ନବୀନ… ନବୀନ… ଗୀତରେ ଝୁମିଲେ ଓ ଲୋକଙ୍କୁ ଝୁମାଇଲେ। ଏଥିପ୍ରତି ସ୍ଥାନୀୟ ପ୍ରଶାସନର ନଜର ନଥିଲା ପରି ଲାଗୁଥିଲା। କାରଣ ବିଜେଡି ସଭା ବୋଲି ଭାବି ପ୍ରଶାସନ ବୋଧ ହୁଅ ଏଭଳି ଏକ ସମ୍ବେଦନସୀଲ ପ୍ରସଙ୍ଗରେ ନଜର ଦେଇନାହାନ୍ତି ସେଭଳି ମାନେ ହେଉଥିଲା।