୨୦ ଜଣକୁ ନେଇ ପ୍ରଚାର, ୩ଶହ ଜଣରେ ସଭା

କୋହଳ ହେଲା କରୋନା କଟକଣା

ଭୁବନେଶ୍ୱର : ଗତ କିଛି ଦିନ ଧରି କରୋନା ଗ୍ରାଫ ତଳମୁହାଁ ଥିବା ବେଳେ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ରାଜ୍ୟ ନିର୍ବାଚନ କମିଶନରଙ୍କ କହିବାନୁଯାୟୀ, ପଞ୍ଚାୟତ ନିର୍ବାଚନ ନିମନ୍ତେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି।   ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ। ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା । ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ  ଏପରି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।

ପୂର୍ବରୁ ୫ ଜଣଙ୍କୁ ନେଇ ପ୍ରଚାର ନିମନ୍ତେ ଅନୁମତି ମିଳିଥିବା ବେଳେ ଏଣିକି ୨୦ ଜଣକୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ପ୍ରାର୍ଥୀ। ଏହାବାଦ ପୂର୍ବରୁ ରାଜନୈତିକ ସଭାକୁ ଅନୁମତି ମିଳି ନ ଥିବା ବେଳେ ଏବେ ମିଳିଛି ଗ୍ରୀନ୍‌ ସିଗନାଲ। ୩ଶହ ଲୋକଙ୍କୁ ନେଇ ଆୟୋଜିତ ହୋଇପାରିବ ରାଜନୈତିକ ସଭା । କିନ୍ତୁ ଏହି ସମୟରେ  ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି।  କିନ୍ତୁ ପୂର୍ବପରି ରାଲି, ପଦଯାତ୍ରା, ବାଇକ ରାଲି ଉପରେ ଲାଗୁ ହୋଇଥିବା କଟକଣା ବଳବତ୍ତର ରହିବ । ସୂଚନାଯୋଗ୍ୟ, କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରାଯାଇ ଫେବୃଆରୀ ୧୬ରୁ ସମଗ୍ର ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ। ଏନେଇ ବିଧିବଦ୍ଧ ଘୋଷଣା କରି ୫ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ବୋଲି କହିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । କେବଳ ସର୍ବାଧିକ କୋଭିଡର ଉଭୟ ଡୋଜ୍ ଟିକା ନେଇଥିବା ଅବା ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କୁ ହିଁ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି କୁହାଯାଇଥିଲା। ତେଣୁ ନିର୍ବାଚନ ପ୍ରଚାର ନିମନ୍ତେ ଲାଗୁ ହୋଇଥିବା କଟକଣାକୁ ସାମାନ୍ୟ କୋହଳ କରାଯାଇଛି।