ଚୈତ୍ର ପର୍ବ ଓ ଦଣ୍ଡଯାତ ଆରମ୍ଭ: ପାଟୁଆଙ୍କ ହାତରେ ଅଗ୍ନିଦଣ୍ଡ ଦେଖି ପ୍ରଣାମ କରନ୍ତୁ, ପୂରଣ ହେବ ମନସ୍କାମନା

ଚକାପାଦ: ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ଚୈତ୍ରପର୍ବ ଓ ଦଣ୍ଡ ଯାତ୍ରା ଆରମ୍ଭ ହୋଇଯାଇଛି । ଚୈତ୍ର ମାସଟି ଦଣ୍ଡଯାତ୍ରା ପାଇଁ ପ୍ରସିଦ୍ଧି ଅର୍ଜନ କରିଛି । ଭକ୍ତମାନେ ମନସ୍କାମନା ପୂରଣ ପାଇଁ ୧୩ ଦିନ ଅବା ୨୧ ଦିନ ପାଇଁ ବ୍ରତ ପାଳନ କରନ୍ତି । ସଂପୂର୍ଣ୍ଣ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିଥାନ୍ତି ।

ଠାକୁରଙ୍କ ଆଶୀର୍ବାଦ ପାଇବା ପାଇଁ ଶରୀରକୁ କଷ୍ଟ ଦେଇଥାନ୍ତି । ଦିନକୁ ଥରେ ଖାଇ ଦେହରେ କଂଟା ଫୋଡ଼ି ଉଡ଼ାପର୍ବରେ ଶୂନ୍ୟରୁ ଝୁଲିଥାନ୍ତି । ଭକ୍ତଙ୍କ ପାଇଁ ଗାଁ ବାହାରେ ଭଗତ ଘର ତିଆରି ହୋଇଥାଏ । ମା’ କାଳୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନାନା ଉପାୟ ଆଦରିଥାନ୍ତି ।

ଓଡ଼ିଶାର ବିଭିନ୍ନ ଅଂଚଳରେ ଚୈତ୍ରମାସଟି ଉତ୍ସବ ମୁଖର ହୋଇଥାଏ । କୋଉଠି ଝାମୁଯାତ ତ କୋଉଠି ଦଣ୍ଡଯାତ । ମାତ୍ର ସବୁଠାରେ ମା’ଙ୍କ ଆରାଧନା ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । କେତେକ ଅଂଚଳରେ ଦେବଦେବ ମହାଦେବଙ୍କ ଆରାଧନା କରାଯାଏ ।

ଗଞ୍ଜାମର ମା’ ଗାଲେରୀ ଦଣ୍ଡକାଳୀ ଯାତ ଦେଖିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି । ଚୈତ୍ରପର୍ବରେ ସହର ଅବା ଗ୍ରାମାଂଚଳ, ସବୁଠି ଦଳଦଳ ହୋଇ ପାଟୁଆମାନେ ହାତରେ ଅଗ୍ନିଦଣ୍ଡ ଧରି ଶୋଭାଯାତ୍ରା କରୁଥିବାର ଦେଖିବାକୁ ମିଳିଥାଏ । ଆପଣମାନେ ଅଗ୍ନିଦଣ୍ଡକୁ ଦେଖି ଭକ୍ତିର ସହିତ ପ୍ରଣାମ କରନ୍ତୁ । ମା’ କାଳୀ ଆପଣଙ୍କ ମନକଥା ଶୁଣିବେ ।