ଓଡିଶାକୁ ବାତ୍ୟା ଭୟ

ଭୁବନେଶ୍ୱର: ରାଜ୍ୟରେ ଏବେ ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ବର୍ଷା ଲାଗି ରହିଛି । ହେଲେ ଆଗକୁ ବଡ଼ ବିପଦ ଆଶଙ୍କା ଦେଖାଦେଲାଣି । ଯଦି ପାଣିପାଗ ସଂସ୍ଥାର ଆକଳନ ଠିକ୍‌ ହୁଏ ପଞ୍ଚୁକ ବେଳକୁ ଏକ ବାତ୍ୟା ଆସିପାରେ । ଏହା ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ମାଡ଼ ହେବା ନେଇ ଆକଳନ କରାଯାଉଛି । ସମ୍ଭାବ୍ୟ ଲଘୁଚାପଜନିତ ପ୍ରବଳ ବର୍ଷାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଏସ୍‌ଆରସି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ପାଇଁ ସତର୍କତା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଧୀରେ ଧୀରେ ଏହା ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ମୁହାଁଉଛି । ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତ ରୂପ ନେବ । ଏପରିକି ଅଧିକ ବଳ ଗୋଟାଇ ଏହା ବାତ୍ୟାରେ ପରିଣତ ହୋଇପାରେ । ଯାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ ଉତ୍ତର ତାମିଲନାଡୁ ଏବଂ ଓଡ଼ିଶା ଭିତରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । କିନ୍ତୁ ଏବେଠାରୁ ଏ ସମ୍ପର୍କରେ ଆକଳନ କରିହେବନି । ଅବପାତ ରୂପ ନେବା ପରେ ଚିତ୍ର ସ୍ପଷ୍ଟ ହେବ ।