ରାଜ୍ୟରେ କରୋନାରେ ଆଉ ୧୫ ମୃତ

ଭୁବନେଶ୍ୱର,(ଏସ୍‌ ନ୍ୟୁଜ୍‌) : ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ହଜାର ତଳକୁ ଖସିଥିଲେ ମଧ୍ୟ ଆଜି ଆଉ ୧୫ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, କିଛଦିନ ତଳେ ସାମ୍ପୁଲ ସର୍ଭେରୁ ୨୫ରୁ ୩୦ ପ୍ରତିଶତ ଡେଲଟା ଭାରିଏଣ୍ଟ ଓ ୬୦ ପ୍ରତିଶତ ଓମିକ୍ରନ ଭାରିଏଣ୍ଟ ଥିବା ଜଣାପଡ଼ିଛି। ଏବେବି ରାଜ୍ୟରେ ଓମିକ୍ରନ ଓ ଡେଲଟା ଭାରିଏଣ୍ଟ ସକ୍ରିୟ ରହିଛି। ଡେଲଟା ଭାରିଏଣ୍ଟ ଅଧିକ ଗୁରୁତର କରୁଥିବାରୁ ଏପର୍ଯ୍ୟନ୍ତ ବିପଦ ଟଳିନି । ତେଣୁ ସମସ୍ତେ ସତର୍କ ରହିବା ଉଚିତ୍ । ରାଜ୍ୟରେ ସ୍ଥିତିରେ ସୁଧାର ଆସୁଛି । ସବୁ ତଥ୍ୟ ବିଶ୍ଲେଷଣ ପରେ ଫେବୃୟାରୀରେ କଟକଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୪୫୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୩୦୯୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୧୮୪୧୭୪ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୫୭୦୪୮୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।